ଭାରତରେ ୫୦% ରୁ ଅଧିକ ଲୋକଙ୍କୁ ସମ୍ପୂର୍ଣ୍ଣ କୋଭିଡ ଟିକାକରଣ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ଆଜି ସୁଦ୍ଧା ୫୦ ପ୍ରତିଶତ ଲୋକଙ୍କ ସମ୍ପୂର୍ଣ୍ଣ ଟିକାକରଣ ହୋଇଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟା ଶୁଭେଚ୍ଛା ଜଣାଇଛନ୍ତି। ସେ ଏକ ଟ୍ୱଟ୍ କରି ଦେଶର ଲୋକମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ କହିଛନ୍ତି ଏହା ଅତ୍ୟନ୍ତ ଗର୍ବର ଏକ ମୁହୂର୍ତ୍ତ। ଭାରତ ଯୋଗ୍ୟ ଜନସଂଖ୍ୟାର ୫୦% ରୁ ଅଧିକ ଲୋକ ବର୍ତ୍ତମାନ କୋଭିଡ ଟିକାକରଣ କରିସାରିଛନ୍ତି। ଆମେ ଏକତ୍ର କୋଭିଡ-୧୯ ବିପକ୍ଷରେ ଯୁଦ୍ଧରେ ଜିତିବା।

କେନ୍ଦ୍ରସ୍ୱସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଭାରତରେ ଟିକା କରଣ ଏପର୍ୟ୍ୟନ୍ତ ୧୨୭.୬୧ କୋଟି ଅତିକ୍ରମ କରିସାରିଛି। କରୋନା କବଳରୁ ମୁକ୍ତି ପାଇବା ପାଇଁ ଭାରତରେ ଚଳିତ ବର୍ଷ ଜାନୁଆରୀ ୧୬ରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକାକରଣ କରାଯାଇଥିଲା। ଏହା ପରେ ଫେବୃଆରି ୨ରୁ ଆଗଧାଡିର କର୍ମଚାରି ତଥା ପୋଲିସ,ସୁରକ୍ଷା କର୍ମୀ,ବିପର୍ୟ୍ୟୟ ପରିଚାଳନା ଅଧୀକାରୀ, ସଫେଇ କର୍ମଚାରୀ ଆଦିିଙ୍କୁ ଟିକାକରଣ କରାଯାଇଥିଲା।

ମାର୍ଚ୍ଚ ୧ ତାରିଖରୁ ଟିକା କରଣ ପ୍ରକ୍ରିୟାକୁ ସାଧାରଣ ନାଗରୀକଙ୍କ ପାଇଁ ଆରମ୍ଭ କରାଯାଇଥିଲା। ପ୍ରଥମେ ୬୦ ବର୍ଷରୁ ଊର୍ଦ୍ଧ୍ୱ ଏବଂ ଏପ୍ରିଲ ୧ ତାରିଖରୁ ୪୫ ବର୍ଷରୁ ଊର୍ଦ୍ଧ୍ୱ ଲୋକେ ଯେଉଁମାନେ ଦୁଇରୁ ଅଧିକ ରୋଗରେ ପୀଡିତ ସେମାନଙ୍କୁ ଟିକାକରଣ କରାଯାଇଥିଲା। ଶେଷରେ ମେ ୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ନାଗରୀକ ମାନଙ୍କୁ ଟିକାକରଣ ଆରମ୍ଭ ହୋଇଥିଲା। ଭାରତରେ ଏପର୍ଯ୍ୟନ୍ତ ଭାରତରେ ନିର୍ମିତ କୋଭାସ୍କିନ୍‌, କୋଭିସିଲ୍ଡ, ସ୍ପୁଟନିକ-ଭି, ମଡର୍ଣ୍ଣା, ଜନସନ ଏବଂ ଜନସନ ଏବଂ ଡିଏନଏ ଭିତ୍ତିକ ଭାରତୀୟ ଟିକା ଜାଇଡସ କାଡିଲାକୁ ମଧ୍ୟ ଅନୁମୋଦନ ମିଳିସାରିଛି।