ଭୁବନେଶ୍ୱର,ଏନ୍ଏନ୍ଏସ୍: ସାମ୍ଭାବ୍ୟ ବାତ୍ୟା ଜୱାଦର ମୁକାବିଲା ପାଇଁ ଭୁବନେଶ୍ୱର ମହାନଗର ନିମଗମ (ବିଏମସି) ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଏମସି କମିଶନର ସଞ୍ଜୟ ସିଂହଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ଓ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦିଆଯାଇଛି। ୩ଟି ଜୋନ୍ ପାଇଁ ଜେଡିସିମାନଙ୍କୁ ଦାୟିତ୍ୱ ବଣ୍ଟା ଯାଇଛି। ସ୍ଥିତି ସ୍ୱଭାବିକ ନ ହେବା ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଏଥିସହ ଭୁବନେଶ୍ୱର ନ ଛାଡିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ‘ଜୱାଦ’ର ମୁକାବିଲା ପାଇଁ ବିଏମ୍ସି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଉଦ୍ଧାର, ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟର ସୁଗମ ପରିଚାଳନା ପାଇଁ ସମସ୍ତ ଅଧିକାରୀଙ୍କୁ ସତର୍କ ଏବଂ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ମହାନଗରାଞ୍ଚଳରେ ଥିବା ତଳିଆ ଅଞ୍ଚଳ ଚିହ୍ନଟ କରାଯାଇଛି। ସ୍ଥିତିକୁ ଦେଖି ଆବଶ୍ୟକ ହେଲେ ସେହି ଅଞ୍ଚଳରୁ ଲୋକଙ୍କୁ ନିକଟସ୍ଥ ବିଦ୍ୟାଳୟ, ବାତ୍ୟା ଆଶ୍ରୟସ୍ଥଳ କିମ୍ବା ନିରାପଦ ସ୍ଥାନକୁ ସ୍ଥାନାନ୍ତର କରନ୍ତୁ କରାଯିବ। ରାସ୍ତାରେ ବୁଲୁଥିବା, ବ୍ରିଜ୍, ମନ୍ଦିର, ଫୁଟପାଥ୍ ବିଶେଷକରି ଖୋଲା ଆକାଶ ତଳେ ରାତି ବିତାଉଥିବା ଭୂମିହୀନ ଏବଂ ଭିକାରୀଙ୍କ ଉଦ୍ଧାର ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଥିବା ବିଏମସି ପକ୍ଷରୁ କୁହାଯାଇଛି। ସେହିପରି ବିଏମ୍ସିର ୬୭ଟି ୱାର୍ଡର ଅଧିକାରୀମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ ଯଥା ଚୁଡା, ଗୁଡ, ବିସ୍କୁଟ ସହିତ ମହମବତୀ ମହଜୁଦ୍ ରଖିବା ସହ ଆଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟ ଯୋଗାଇ ଦେବାପାଇଁ କହିଛନ୍ତି। ଦକ୍ଷିଣପୂର୍ବ ଜୋନ୍ରେ ୨୯ଟି ବାତ୍ୟା ଆଶ୍ରୟସ୍ଥଳ ଥିବାବେଳେ, ଦକ୍ଷିଣପଶ୍ଚିମ ଜୋନ୍ରେ ୨୧ ଏବଂ ଉତ୍ତର ଜୋନ୍ରେ ୨୨ଟି ବାତ୍ୟା ଆଶ୍ରୟସ୍ଥଳ ରହିଛି। ବିଏମ୍ସିର ଇଞ୍ଜିନିୟରିଂ ଟିମ୍ ପକ୍ଷରୁ ଗ୍ୟାରେଜ୍ ଛକ, ସାରଦା ମଠ ଲେନ୍, ଶ୍ରୀରାମ ନଗର, ରତ୍ନଭିଲା ଭଳି ୩୬ଟି ଅସୁରକ୍ଷିତ ନିମ୍ନ ଅଞ୍ଚଳ ଚିହ୍ନଟ କରାଯାଇଛି।
ଜଳ ନିଷ୍କାସନ ପାଇଁ ଆବଶ୍ୟକୀୟ ପମ୍ପ୍ସେଟ୍ ପ୍ରସ୍ତୁତ ରହିଛି। ଏହା ବ୍ୟତୀତ କୌଣସି ଜରୁରୀକାଳୀନ ଚିକିତ୍ସା ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ଯଥା ସମ୍ଭବ ପାୱାର ବ୍ୟାକ୍ ରଖିବା ପାଇଁ ଜନସ୍ୱାସ୍ଥ୍ୟ ଅଧିକାରୀ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚିକିତ୍ସାଳୟରେ ପର୍ଯ୍ୟାପ୍ତ ପରିମାଣର ଔଷଧ, ଆଣ୍ଟି ଭେନମ୍, ହାଲୋଜିନ୍ ଟାବ୍ଲେଟ୍ ରଖିବା ପାଇଁ ଚିଫ୍ ମ୍ୟୁନିସିପାଲ୍ ମେଡିକାଲ ଅଫିସର (ସିଏମ୍ଏମ୍ଓ)ଙ୍କୁ କୁହାଯାଇଛି। ବାତ୍ୟା ସମୟରେ ଅଘଟଣକୁ ଏଡାଇବା ପାଇଁ ସହରରେ ଲାଗିଥିବା ବିଭିନ୍ନ ବିଜ୍ଞାପନ ବୋର୍ଡ, ହୋର୍ଡିଂ ଆଦିକୁ ହଟା ଯାଇଛି।
ଜାରି ହେଲା ଟୋଲ ଫ୍ରି ନଂ
ବାତ୍ୟା ସମୟରେ କୌଣସି ଜରୁରୀକାଳୀନ ଟୋଲ ଫ୍ରି ନଂ ୦୬୭୪-୨୪୩୧୨୫୩ କିମ୍ବା ୧୮୦୦୩୪୫୦୦୬୧ ଜାରି କରାଯାଇଛି। ସହାୟତା ପାଇଁ ଲୋକମାନେ ବିଏମ୍ସିର ଏହି ୨୪ଘଣ୍ଟିଆ ଟୋଲ ଫ୍ରି ନଂ ଯୋଗାଯୋଗ କରିପାରିବେ ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି।