ମୋନାକୋ,ଏଜେନ୍ସି: ଦେଶରେ ମହିଳା ପ୍ରତିଭାଙ୍କ ଚିହ୍ନଟ ସହ ଲିଙ୍ଗଭିତ୍ତିକ ସମାନତା ଉପରେ ଗୁରୁତ୍ୱ ଦେଇଆସୁଥିବା କାରଣରୁ ବିଶ୍ୱ ଆଥ୍ଲେଟିକ୍ସ ଭାରତର କିମ୍ବଦନ୍ତୀ ମହିଳା ଆଥଲେଟ୍ ଅଞ୍ଜୁ ବବି ଜର୍ଜଙ୍କୁ ବର୍ଷର ସର୍ବଶ୍ରେଷ୍ଠ ମହିଳା ଭାବେ ପୁରସ୍କୃତ କରିଛି। ଗତ ୨୦୦୩ ପ୍ୟାରିସ୍ ବିଶ୍ୱ ଚାମ୍ପିଅନ୍ଶିପ୍ରେ ପଦକ ଜିତିଥିବା ଏକମାତ୍ର ଭାରତୀୟ ଆଥଲେଟ୍ ଅଞ୍ଜୁଙ୍କୁ ବୁଧବାର ରାତିରେ ସଂଗଠନର ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବରେ ଏହି ସମ୍ମାନ ମିଳିଛି। ଏହାଛଡ଼ା ଆଇଏଏଏଫ୍ ବିଶ୍ୱ ଆଥ୍ଲେଟିକ୍ସ ଫାଇନାଲ୍ସ (ମୋନାକୋ-୨୦୦୫)ର ସ୍ୱର୍ଣ୍ଣ ପଦକ ବିଜୟିନୀ ଏବଂ କ୍ୟାରିୟର୍ରେ ଆକର୍ଷଣୀୟ ପ୍ରଦର୍ଶନ କରିଆସିଥିବା ଅଞ୍ଜୁ ମଧ୍ୟ ଦେଶର ସବୁଠୁ ପ୍ରେରଣାଦୀୟ ଟ୍ରାକ୍ ଆଣ୍ଡ୍ ଫିଲ୍ଡ ଷ୍ଟାର୍ ଭାବେ ବେଶ୍ ପରିଚିତ।
ବିଶ୍ୱ ଆଥ୍ଲେଟିକ୍ସ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ପୂର୍ବତନ ଅନ୍ତର୍ଜାତୀୟ ଲଙ୍ଗ୍ ଜମ୍ପର୍ ଭାରତର ଅଞ୍ଜୁ ବବି ଜର୍ଜ ବର୍ତ୍ତମାନ ମଧ୍ୟ ଖେଳ ସହିତ ଜଡ଼ିତ ଅଛନ୍ତି। ସେ ୨୦୧୬ରେ ଯୁବ ଖେଳାଳିଙ୍କ ପାଇଁ ଏକ ଏକାଡେମୀ ଖୋଲିଛନ୍ତି, ଯେଉଁଥିରୁ ବିଶ୍ୱ ଅଣ୍ଡର-୨୦ ପଦକ ବିଜେତା ସୃଷ୍ଟି ହୋଇଛନ୍ତି।’ ବିବୃତିରେ ଆହୁରି କୁହାଯାଇଛି, ‘ଭାରତୀୟ ଆଥ୍ଲେଟିକ୍ ମହାସଂଘର ସିନିୟର୍ ଉପସଭାପତି ହୋଇଥିବାରୁ ସେ ଲଗାତାର ଲିଙ୍ଗ ସମାନତା ସମ୍ପର୍କରେ ଓକିଲାତି କରିଆସୁଛନ୍ତି। ଭବିଷ୍ୟତରେ ସେ ଖେଳରେ ନେତୃତ୍ୱ ନେବା ପାଇଁ ସ୍କୁଲ୍ ଛାତ୍ରୀଙ୍କୁ ମାର୍ଗଦର୍ଶନ କରୁଛନ୍ତି।’ ବିଶ୍ୱ ଆଥ୍ଲେଟିକ୍ସର ବାର୍ଷିକ ପୁରସ୍କାର ସମାରୋହରେ ସମ୍ମାନିତ ହେବାରେ ଅଞ୍ଜୁ ପ୍ରଥମ ଭାରତୀୟ ଏବଂ ଏହି ପୁରସ୍କାର ପାଇବାରେ ଦ୍ୱିତୀୟ ଆଥ୍ଲେଟ୍। ୨୦୧୯ରେ ଆରମ୍ଭ ହୋଇଥିବା ପୁରସ୍କାର ପୂର୍ବରୁ ଇଥିଓପିଆର ଡବଲ୍ ଅଲିମ୍ପିକ୍ ଚାମ୍ପିଅନ୍ ଦେରାର୍ତୁ ଟୁଲୁ ପ୍ରଥମେ ଏହି ପୁରସ୍କାର ପାଇଥିଲେ।
ଏହି ସମ୍ମାନରେ ଅଞ୍ଜୁ ଗୌରବାନ୍ୱିତ ଓ ଅଭିଭୁତ ବୋଲି କହିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ‘ସକାଳୁ ଉଠି କ୍ରୀଡ଼ା ପାଇଁ କିଛି କରିବାଠାରୁ ଅଧିକ ଅନୁଭବ ଆଉ କିଛି ନାହିଁ। ମୋ ଉଦ୍ୟମର ପ୍ରଶଂସା ପାଇଁ ଧନ୍ୟବାଦ।’ ସୂଚନାଯୋଗ୍ୟ, ପତି ରବର୍ଟ ବବି ଜର୍ଜଙ୍କଠାରୁ କୋଚିଂ ନେବା ପରେ ଅଞ୍ଜୁଙ୍କ କ୍ୟାରିୟର୍ ନୂଆ ଶିଖରରେ ପହଞ୍ଚିଥିଲା। ସେ ୨୦୦୪ ଅଲିମ୍ପିକ୍ରେ ୬.୮୩ ମିଟର ଦୂରକୁ ଡେଇଁ ୬ଷ୍ଠ ସ୍ଥାନରେ ରହିଥିଲେ। ତେବେ ଆମେରିକାର ମାରିୟମ୍ ଜୋନ୍ସ ଡୋପିଂ ଅଭିଯୋଗ କାରଣରୁ ଅଯୋଗ୍ୟ ଘୋଷିତ ହେବା ପରେ ଅଞ୍ଜୁଙ୍କୁ ୨୦୦୭ରେ ପଞ୍ଚମ ସ୍ଥାନ ପ୍ରଦାନ କରାଯାଇଥିଲା।