୮ରୁ ବିଜୟ ହଜାରେ ଟ୍ରଫି: ଶୁଭ୍ରାଂଶୁଙ୍କୁ ଓଡ଼ିଶା ଦଳର ନେତୃତ୍ୱ

କଟକ,ଏନ୍‌ଏନ୍‌ଏସ୍‌: ଆସନ୍ତା ୮ ତାରିଖଠାରୁ ମୁମ୍ବାଇଠାରେ ଖେଳାଯିବାକୁ ଥିବା ବିସିସିଆଇ ବିଜୟ ହଜାରେ ଟ୍ରଫି ପାଇଁ ଗୁରୁବାର ଓଡ଼ିଶା ସିନିୟର୍ ପୁରୁଷ ଦଳ ଘୋଷଣା କରାଯାଇଛି। ଏହି ୨୧ଜଣିଆ ଦଳର ନେତୃତ୍ୱ ଦାୟିତ୍ୱ ଶୁଭ୍ରାଂଶୁ ସେନାପତିଙ୍କୁ ଦିଆଯାଇଥିବା ବେଳେ ଓଡ଼ିଶା ତା’ର ଅଭିଯାନ ଆନ୍ଧ୍ର ପ୍ରଦେଶ ବିପକ୍ଷରେ ଆରମ୍ଭ କରିବ ବୋଲି ସ୍ଥାନୀୟ ଓସିଏ କନ୍‌ଫରେନ୍ସ ହଲ୍‌ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସିନିୟର୍ ଚୟନ କମିଟି ଅଧ୍ୟକ୍ଷ ପ୍ରଭଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତି। ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ହେବା ପୂର୍ବରୁ ଓଡ଼ିଶା ଦଳର ଖେଳାଳିମାନେ ଶୁକ୍ରବାରଠାରୁ ରବିବାର ପର୍ଯ୍ୟନ୍ତ ବିସିସିଆଇ ଗାଇଡଲାଇନ୍ ଅନୁସାରେ କ୍ୱାରେଣ୍ଟାଇନରେ ରହିବେ। ପରେ ଆସନ୍ତା ୬ ଓ ୭ ତାରିଖରେ ଦଳ ଦୁଇଟି ଅଭ୍ୟାସ ମ୍ୟାଚ୍ ମଧ୍ୟ ଖେଳିବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି।

ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ଅଧିନାୟକ ଶୁଭ୍ରାଂଶୁ ସେନାପତି, ଗୋବିନ୍ଦ ପୋଦ୍ଦାର, ଅନୁରାଗ ଷଡ଼ଙ୍ଗୀ, ବିପ୍ଳବ ସାମନ୍ତରାୟ, ରାଜେଶ ଧୂପର୍ (ୱିକେଟ୍‌କିପର୍‌), ସୁଜିତ୍ ଲେଙ୍କା (ୱିକେଟ୍‌କିପର୍‌), ଶାନ୍ତନୁ ମିଶ୍ର, ଅଭିଷେକ ରାଉତ, ଅଭିଷେକ ଯାଦବ, ସନ୍ଦୀପ ପଟ୍ଟନାୟକ, ଶୁଭଙ୍କର ବିଶ୍ୱାସ, ଦେବବ୍ରତ ପ୍ରଧାନ, ଆଶିଷ ରାଏ, ସୁନୀଲ କୁମାର ରାଉଳ, ଜୟନ୍ତ କୁମାର ବେହେରା, ପପ୍ପୁ ରାୟ, ଶୁଭମ୍ ନାଏକ, ବିକାଶ ରାଉତ, ତରଣୀ ସ’, ପ୍ରୟାସ ସିଂ ଠାକୁର ଓ ରାଜେଶ ମହାନ୍ତି । ଓଡ଼ିଶା ୮ ତାରିଖରେ ଆନ୍ଧ୍ର ବିପକ୍ଷରେ ଖେଳିବା ପରେ ୯ରେ ଗୁଜରାଟ, ୧୧ରେ ବିଦର୍ଭ, ୧୨ରେ ଜମ୍ମୁ-କଶ୍ମୀର ଓ ୧୪ରେ ହିମାଚଳ ପ୍ରଦେଶ ସହ ଖେଳିବାର କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି। ଓଡ଼ିଶା ଟିମ୍‌କୁ ଟୁର୍ଣ୍ଣାମେଣ୍ଟ୍ ସକାଶେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରା ଶୁଭେଚ୍ଛା ଦେଇଛନ୍ତି।