ଭୁବନେଶ୍ବର,ଏନ୍ଏନ୍ଏସ୍: ନନ୍ଦନକାନନ ଉଦ୍ଭିଦ ଉଦ୍ୟାନରେ ବଣଭୋଜି ପାଇଁ ଏଣିକି ଅନ୍ଲାଇନ୍ରେ ବୁକିଂ କରିହେବ। ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କୋଭିଡ୍ ଦ୍ୱିତୀୟ ଲହରୀର ଲକ୍ଡାଉନ୍ରେ ୩ମାସ ବନ୍ଦ ହୋଇ ଅଗଷ୍ଟ ୩ ତାରିଖରେ ବଟାନିକାଲ୍ ଗାର୍ଡେନ ଖୋଲିଥିଲେ ମଧ୍ୟ ଭୋଜିଭାତକୁ ଅନୁମତି ମିଳିନଥିଲା। କରୋନା କାରଣରୁ ପ୍ରାୟ ୬ମାସ ବନ୍ଦ ରହିଥିଲା।
କରୋନାର ସ୍ଥିତି ସ୍ୱାଭାବିକ ହେବା ସହ ପର୍ଯ୍ୟଟନ ଋତୁ ଆସିଥିବାରୁ ଏହାକୁ ଦୃଷ୍ଟିରେ ରଖି ଡିସେମ୍ବର ୧ତାରିଖଠାରୁ ବଟାନିକାଲ୍ ଗାର୍ଡେନ୍ରେ ଭୋଜିଭାତକୁ ଅନୁମତି ମିଳିଛି। ଏଠାରେ ଭୋଜି ପାଇଁ ଛୋଟ ପିଣ୍ଡି ୫ଟି, ବଡ଼ ୩୫ଟି, ସ୍ପେଶାଲ ୯ଟି ଓ ପିକ୍ନିିକ୍ ପିଣ୍ଡି ୮ଟି ଏହିଭଳି ୫୭ଟି ପିଣ୍ଡି ରହିଛି। ଯାହାର ଭଡ଼ା ଛୋଟ ପିଣ୍ଡି ପାଇଁ ୩୦୦, ବଡ଼ ପିଣ୍ଡି ୫୫୦, ପିକ୍ନିକ୍ ପିଣ୍ଡି ୧୩୦୦ ଓ ସ୍ପେଶାଲ ପିଣ୍ଡି ପାଇଁ ୧୬୦୦ ରଖାଯାଇଛି।