ସର୍ବଦଳୀୟ ବୈଠକ, ପ୍ରତିଦିନ ଗୃହ ଚାଲିବ ୫ ଘଣ୍ଟା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଦିନକ ପରେ ବସିବ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ। ପୂର୍ବଭଳି କୋଭିଡ୍ କଟକଣା ବଳବତ୍ତର ରହିବ। ପ୍ରତିଦିନ ଗୃହ ଚାଲିବ ୫ ଘଣ୍ଟା। ତାରକା ଓ ଅଣତାରକା ପ୍ରଶ୍ନ-ଉତ୍ତର ଚାଲୁ ରହିବ। ଭର୍ଚୁଆଲରେ ଭାଗନେବେ ବରିଷ୍ଠ ସଦସ୍ୟ। ତେବେ ପ୍ରଶ୍ନକାଳରେ ହୋହଲ୍ଲା, ନାରାବାଜି, ବ୍ୟାନର-ପ୍ଲାକାର୍ଡ ପ୍ରଦର୍ଶନ ବନ୍ଦ୍ ରହିବ। ସର୍ବଦଳୀୟ ବୈଠକରେ ବାଚସ୍ପତି ଡ.ସୂର୍ଯ୍ୟନାରାୟଣ ପାତ୍ର ଏହିକଥା ଦୋହରାଇଛନ୍ତି।

ସେମାବାର ବିଧାନସଭା ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବାଚସ୍ପତି ଡ.ପାତ୍ର ଅଧ୍ୟକ୍ଷତା କରି ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ସମସ୍ତ ଦଳଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ, କୋଭିଡ୍ କଟକଣା କାରଣରୁ ପୂର୍ବଥର ଭଳି ଗୃହ ୫ ଘଣ୍ଟା ଚାଲିବ। ଡିସେମ୍ୱର ପହିଲାରେ ଗୃହର ପ୍ରାରମ୍ଭିକ ଅଧିବେଶନ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେବ। ଦିବଙ୍ଗତ ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇ ତାଙ୍କ ସମ୍ମାନାର୍ଥେ ଗୃହ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୁଲତବୀ ରହିବ। ସେହିଦିନ ଅପରାହ୍ନ ୫ଟାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଆଗତ ହେବ। ହେଲେ ବାକି ସବୁ ଦିନ ପୂର୍ବାହ୍ନ ୧୦ଟା ୩୦ରୁ ଆରମ୍ଭ ହୋଇ ଗୃହ ଅପରାହ୍ନ ୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ୱିତୀୟାର୍ଦ୍ଧ ବୈଠକ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପୂର୍ବ ଅଧିବେଶନ ଭଳି ଗୃହରେ ନିୟମିତ ଭାବେ ଉଭୟ ତାରକା ଓ ଅଣତାରକା ଚିହ୍ନିତ ପ୍ରଶଗୁଡ଼ିକର ଉତ୍ତର ଉପସ୍ଥାପନ ହେବ। ବିରୋଧୀଦଳ ତରଫରୁ ମୁଲତବୀ ପ୍ରସ୍ତାବ ମଧ୍ୟ ଆଗତ କରାଯିବ।

ଡ. ପାତ୍ର କହିଛନ୍ତି ଯେ ସମ୍ପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ଗୃହ କାର୍ଯ୍ୟ ଚାଲୁଥିବାରୁ ପ୍ରତ୍ୟହ ବିଧାନସଭାକୁ ଭୁବନେଶ୍ୱର ମହାନଗର ନିଗମ ତରଫରୁ ବିଶୋଧନ କରାଯିବ। ଗଣମାଧ୍ୟମ ପ୍ରତିନିଧିମାନେ ବିଧାନସଭା ସମ୍ମିଳନୀ କକ୍ଷରେ ଉପସ୍ଥିତ ରହି ପ୍ରସାରଣ ବ୍ୟବସ୍ଥା କରିପାରିବେ। ପୂର୍ବଥର ଭଳି ବରିଷ୍ଠ ବିଧାୟକଙ୍କ ପାଇଁ ଆସନ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ଓକାକ୍‌, ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷ, ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ, ବିରୋଧୀଦଳ ନେତା, ବିଧାୟକଙ୍କ ଆବାସିକ କାର୍ଯ୍ୟାଳୟ ଏବଂ ଜିଲ୍ଲାପାଳଙ୍କ ଭିଡିଓ ସମ୍ମିଳନୀ କକ୍ଷରେ ଉପସ୍ଥିତ ହୋଇ ସଭ୍ୟମାନେ ଗୃହର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ।

ସମସ୍ତ ବିଧାନସଭା ସଦସ୍ୟ, ସେମାନଙ୍କର ଡ୍ରାଇଭର, ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ, ପ୍ରାଧିକୃତ ଗଣମାଧ୍ୟମ ପ୍ରତିନିଧି, ବିଧାନସଭା ସଚ୍ଚିବାଳୟର ସମସ୍ତ ଅଧିକାରୀ ଏବଂ ଷ୍ଟାଫ୍‌ଙ୍କୁ କରୋନା ପ୍ରତିରୋଧକାରୀ କିଟ୍ ପ୍ରଦାନ କରାଯିବ। ବୈଠକରେ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଭାରତୀୟ ଜନତାପାର୍ଟି ଉପନେତା ବିଷ୍ଣୁ ସେଠୀ ଏବଂ ବିଧାୟକ ଦେବୀପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।