ଚନ୍ଦନେଶ୍ଵରରେ ଅଗ୍ନିକାଣ୍ଡ: ଜଳିଗଲା ୧୦ ଦୋକାନ ଘର, ପାଞ୍ଚ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ

ଚନ୍ଦନେଶ୍ଵର,ଏନ୍ଏନ୍ଏସ୍: ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ ଚନ୍ଦନେଶ୍ବର ମନ୍ଦିର ସମ୍ମୁଖସ୍ଥ ବଜାରରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଯୋଗୁଁ ୧୦ରୁ ଅଧିକ ଦୋକାନ ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଛି। ଅଗ୍ନିକାଣ୍ଡର ସଠିକ୍ କାରଣ ଜଣା ପଡ଼ି ନାହିଁ। ବାଣ ଅଥବା ସିଗାରେଟ ନିଆଁରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି।

ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ ଏହି ଦୋକାନଗୁଡ଼ିକ ଜଳୁଥିବାର ସ୍ଥାନୀୟ ଲୋକେ ଦେଖି ଦମକଳ ବିଭାଗକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ୧୦ଟି ଦୋକାନ ଘର ପୋଡ଼ି ଯାଇଥିଲା। ଏହି ଅଘଟଣରେ ପାଞ୍ଚ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ପ୍ରାଥମିକ ଭାବେ ଆକଳନ କରାଯାଇଛି।