ରାଜଧାନୀରେ ପୁଣି ଆରମ୍ଭ ହେଲା ହକି ପର୍ବ: ଉଦଘାଟନୀ ମ୍ୟାଚରେ ବେଲଜିୟମକୁ ଭେଟିବ ଦକ୍ଷିଣ ଆଫ୍ରିକା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜିଠୁ ପୁଣି କମ୍ପିବ କଳିଙ୍ଗ ଷ୍ଟାଡିୟମ। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ପୁରୁଷ ଜୁନିଅର ବିଶ୍ବକପ ହକି। ଏଥିରେ ପାକିସ୍ତାନ ସମେତ ୧୬ଟି ଟିମ୍ ଅଂଶ ଗ୍ରହଣ କରିବେ। କୋଭିଡ କଟକଣାକୁ ଦେଖି ବିନା ଦର୍ଶକରେ ମ୍ୟାଚ ଆୟୋଜନ କରାଯିବ। ଖେଳାଳିମାନଙ୍କର ରହିବା ଏବଂ ସେମାନେ କେମିତି ସୁରୁଖୁରରେ ମ୍ୟାଚ ଖେଳିବେ, ଅଭ୍ୟାସ କରିବେ ଏଥିପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏଥିସହ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି।

ଆଜି ଉଦଘାଟନୀ ଦିବସରେ ୫ଟି ମ୍ୟାଚ୍ ରହିଛି। ପ୍ରଥମ ମ୍ୟାଚରେ ବେଲଜିୟମକୁ ଭେଟିବ ଦକ୍ଷିଣ ଆଫ୍ରିକା। ଏହାପରେ ମଲେସିଆ ଚିଲେକୁ, ଜର୍ମାନୀ ପାକିସ୍ତାନକୁ, କାନାଡା ପୋଲାଣ୍ଡକୁ ଓ ଡିଫେଣ୍ଡିଂ ଚାମ୍ପିୟାନ ଭାରତ ଭେଟିବ ଫ୍ରାନସକୁ। କରୋନା କଟକଣା ମଧ୍ୟରେ ଖେଳ ଆୟୋଜନ ହେଉଥିବାରୁ ଖେଳାଳି ଓ ଆୟୋଜକ ଟିମ୍ ମେମ୍ବରଙ୍କର କୋଭିଡ ପରୀକ୍ଷା କରାଯିବ।

ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। ସୁରକ୍ଷା ବ୍ୟବସ୍ଥାରେ ଭୁବନେଶ୍ବର ଡିସିପିଙ୍କ ଅଧୀନରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ୧୬ ଟିମ୍ ପାଇଁ ୧୦ଟି ହୋଟେଲରେ ରହଣୀ ବ୍ୟବସ୍ଥା ହୋଇଛି। ହୋଟେଲ, ଷ୍ଟାଡିୟମ, ଖେଳାଳି ଓ ରୁଟ୍ ଲାଇନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ଦର୍ଶକ ବିହୀନ ମ୍ୟାଚ ପାଇଁ ଚିୟରଅପ କାର୍ଯ୍ୟକ୍ରମରେ ପୂର୍ବତନ ଖେଳାଳି ତଥା ପୂର୍ବତନ ପୂର୍ବତନ ସାଂସଦ ଯୋଗ ଦେଇଥିଲେ। ମ୍ୟାଚ ଷ୍ଟାର ସ୍ପୋର୍ଟସରେ ଲାଇଭ ଉପଲବ୍ଧ ହେବ।