ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲେ ଅନୁଗୁଳ ଓ ଢେଙ୍କାନାଳ; ୨୦ଲକ୍ଷ ଲୋକ ହେବେ ଉପକୃତ

ଢେଙ୍କାନାଳରେ ୮୮୦ କୋଟି ପ୍ରକଳ୍ପ ଓ ଅନୁଗୁଳରେ ୧୧୭୬ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର,ଅନୁଗୁଳ,ଢେଙ୍କାନାଳ,ଏନ୍‌ଏନ୍‌ଏସ୍‌: ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ଆଉ ସ୍ଲୋଗାନ ଭିତରେ ନାହିଁ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଭଳି ବଳିଷ୍ଠ ଯୋଜନା କାର୍ଯ୍ୟକାରୀ ହେବା ପରେ ରାଜ୍ୟର ଚିକିତ୍ସା କ୍ଷେତ୍ରରେ ନୂଆ ଅଭ୍ୟୁଦୟ ଘଟିଛି। ଅଧା ଓଡ଼ିଶା ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହୋଇଛି। ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ ଅବସରେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିିଛନ୍ତି। ଉଭୟ ଜିଲ୍ଲାରେ ୨୦୫୬ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଢେଙ୍କାନାଳରେ ୮୮୦ କୋଟି ପ୍ରକଳ୍ପ ଓ ଅନୁଗୁଳରେ ୧୧୭୬ କୋଟି ଟଙ୍କାର ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୂର୍ବାହ୍ନ ୧୧ଟାରେ ପ୍ରଥମେ ଅନୁଗୁଳ ଷ୍ଟାଡିୟମ୍‌ରେ ଆୟୋଜିତ ସଭାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରିଥିଲାବେଳେ ମଧ୍ୟାହ୍ନ ୧୨ଟାରେ ଢେଙ୍କାନାଳ ଯାଇ ସେଠାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରିଥିଲେ। ଉଭୟ ଜିଲ୍ଲାର ୨୦ ଲକ୍ଷ ଲୋକ ଏହି କାର୍ଡ ସୁବିଧା ପାଇବେ। ମୁଖ୍ୟମନ୍ତ୍ରୀ କହିଥିିଲେ, ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ୱାରା ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ସମେତ ରାଜ୍ୟର ୯୬ ଲକ୍ଷ ପରିବାରର ସାଢ଼େ ତିନି କୋଟି ଲୋକ ଉପକୃତ ହେବେ। ଏହାଦ୍ୱାରା ଆମର ଗରିବ ଲୋକମାନେ ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ ମୁକ୍ତ ହୋଇପାରିବେ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ଼ ବଡ଼ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ। କାରଣ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ୍। ଓଡ଼ିିଶା ହେଉଛି ଏକମାତ୍ର ରାଜ୍ୟ, ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂଠାରୁ ଆରମ୍ଭକରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି।

ଅନୁଗୁଳ ସଭାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱାଧୀନତାସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କ ସଂକଳ୍ପ ଏବଂ ତ୍ୟାଗକୁ ସ୍ମରଣ କରିଥିଲେ। ସେମାନଙ୍କ ପ୍ରତିଷ୍ଠିତ ବାଜିରାଉତ ଛାତ୍ରାବାସ ପାଇଁ ଅନୁଗୁଳ ଜିଲ୍ଲା ପ୍ରସିଦ୍ଧ ବୋଲି ପ୍ରକାଶ କରି ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ସମସ୍ତଙ୍କର ସମ୍ମାନର ସହିତ ବଞ୍ଚିବାର ଅଧିକାର ଅଛି। ସ୍ମାର୍ଟ ହେଲ୍‌ଥ କାର୍ଡ ଏହି ଅଧିକାରକୁ ସୁନିଶ୍ଚିତ କରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରି ରାଜ୍ୟ ସରକାର ବର୍ତ୍ତମାନ ଭଲ ପିଇବା ପାଣି ଉପରେ ଗୁରୁତ୍ୱ ଦେଇଆସୁଛନ୍ତି ବୋଲି ପ୍ରକାଶ କରିଥିଲେ। ଜିଲ୍ଲାରେ ମିଲେଟ ମିଶନ ପ୍ରତି ଚାଷୀଙ୍କ ଆଗ୍ରହ ବଢୁଛି। ଜିଲ୍ଲାରେ ୩୦୦୦ ଚାଷୀ ଏଥିରେ ସାମିଲ ହୋଇଛନ୍ତି। ଏହା ଆମର ପୁଷ୍ଟି ନିରାପତ୍ତାକୁ ମଜବୁତ୍ କରିବ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ଢେଙ୍କାନାଳରେ ମୁଖ୍ୟମନ୍ତ୍ରୀ ଶହୀଦ ବାଜିରାଉତ ଓ ସାରଙ୍ଗଧର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଥିଲେ ଯେ ଏ ମାଟି ସବୁବେଳେ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରିଆସିଛି। ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନ ଓଡ଼ିିଶା ଇତିହାସର ଏକ ଗୌରବମୟ ଅଧ୍ୟାୟ। ଏହି ପବିତ୍ର ମାଟିର ସଂଗ୍ରାମୀଙ୍କୁ ପ୍ରଣାମ କରୁଛି। ଢେଙ୍କାନାଳରେ ବିଭିନ୍ନ ପ୍ରକଳ୍ପ ଆରମ୍ଭକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିଳ୍ପ ସହିତ ଉଦ୍ୟାନ କୃଷିରେ ମଧ୍ୟ ଢେଙ୍କାନାଳ ସୁନାମ କରୁଛି। ଢେଙ୍କାନାଳରେ ପର୍ଯ୍ୟଟନର ବିକାଶ ପାଇଁ ୫୦ କୋଟି ଟଙ୍କା ବିନିଯୋଗ କରାଯିବ।

ଢେଙ୍କାନାଳ କାର୍ଯ୍ୟକ୍ରମରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ,ସାଂସଦ ମହେଶ ସାହୁ, ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ, ଢେଙ୍କାନାଳ ସଦର ବିଧାୟକ ସୁଧୀର ସାମଲ ପ୍ରମୁଖ ଯୋଗଦେଇଥିବା ବେଳେ ଅନୁଗୁଳରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ଉପ ବାଚସ୍ପତି ରଜନୀକାନ୍ତ ସିଂହଙ୍କ ସମେତ ଜିଲ୍ଲାର ବିଧାୟକଗଣ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କଲ୍ୟାଣକାରୀ ଯୋଜନା ଓଡ଼ିଶାର ଗରିବ ଲୋକଙ୍କ ମନରେ ଭରସା ସୃଷ୍ଟିକରିଛି ଏବଂ ଅନ୍ୟ ରାଜ୍ୟପାଇଁ ଆଦର୍ଶ ସୃଷ୍ଟିକରିଥିବା ସେମାନେ ପ୍ରକାଶ କରିିଥିଲେ। କାର୍ଯ୍ୟକ୍ରମରେ ୫-ଟି ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ।