ନୂଆଦିଲ୍ଲୀ: ପେଟୀଏମ ସେୟର୍ସ ଆଜି ସେୟାର ମାର୍କେଟ ତାଲିକାରେ ସାମିଲ ହୋଇଛି । କମ୍ପାନୀର ସେୟର୍ସ ବମ୍ବେ ଷ୍ଟୋକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟୋକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହୋଇଛି । ଏହା ଏନଏସଇରେ ୧୯୫୦ ଟଙ୍କା ଓ ବୀଏସଇରେ ୧୯୫୫ ଟଙ୍କାରେ ତାଲିକାଭୁକ୍ତ ହୋଇଥିବା ଜଣାପଡ଼ିଛି । ଏହି ଅବସରରେ କମ୍ପାନୀର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ବମ୍ବେ ଷ୍ଟୋକ ଏକ୍ସଚେଞ୍ଜରେ ଲିଷ୍ଟିଂ ଉତ୍ସବକୁ ସମ୍ବୋଧିତ କରିଛନ୍ତି । ଭାଷଣ ଦେବା ସମୟରେ ଶ୍ରୀ ଶର୍ମା ଭାବବିହ୍ୱଳ ହୋଇଯାଇଥିଲେ । ସେ ରୁମାଲରେ ଆଖି ପୋଛୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ।
ବମ୍ବେ ଷ୍ଟୋକ ଏକ୍ସଚେଞ୍ଜରେ ଲିଷ୍ଟିଂ ଉତ୍ସବରେ ଜାତୀୟ ସଙ୍ଗୀତ ବାଜିବା ମାତ୍ରକେ ୪୩ ବର୍ଷୀୟ ବିଜୟ ଶେଖର ଶର୍ମା ଭାବବିହ୍ୱଳ ହୋଇଯାଇଥିଲେ । ଶ୍ରୀ ଶର୍ମା ହିନ୍ଦୀରେ ତାଙ୍କ ବକ୍ତବ୍ୟ ଆରମ୍ଭ କରି କହିଥିଲେ ଯେ, ସେ ଯେତେବେଳେ ବି ଜାତୀୟ ସଙ୍ଗୀତ ଶୁଣନ୍ତି ତାଙ୍କ ଆଖିରେ ଲୁହ ଆସିଯାଏ । ଏଥିରେ ଥିବା ‘ଭାରତ ଭାଗ୍ୟ ବିଧାତା’ ପଂକ୍ତି ତାଙ୍କ ମନକୁ ଅଧିôକ ଛୁଇଁଥାଏ । ଆଜି ତାଙ୍କ କମ୍ପାନୀ ପାଇଁ ଏକ ବହୁତ ବଡ଼ ଦିନ ।
ସୂଚନାଯୋଗ୍ୟ, ଇଞ୍ଜିନିୟରିଂରେ ଗ୍ରାଜୁଏଟ୍ ହୋଇଥିବା ବିଜୟ ଶେଖର ଶର୍ମା ୨୦୧୦ରେ ମୋବାଇଲ ରିଚାର୍ଜ କରିବାର ଏକ ପ୍ଲାଟଫର୍ମ ରୂପେ ପେଟୀଏମର ସ୍ଥାପନା କରିଥିଲେ । ଆଉ ୧୧ ବର୍ଷ ପରେ ପେଟୀଏମ କେବଳ ଦେଶ ନୁହେଁ ବରଂ ବିଦେଶର ମଧ୍ୟ ଏକ ଜଣାଶୁଣା କମ୍ପାନୀ ହୋଇପାରିଛି । ଫୋର୍ବସ୍ ରିପୋର୍ଟ ଅନୁସାରେ, ପେଟୀଏମର ସଫଳତା ଯୋଗୁ ବିଜୟ ଶିଖର ଶର୍ମା ୨.୪ ବିଲିୟମ ଡଲାର ସମ୍ପତ୍ତି ସହ ଅରବପତି ହୋଇଛନ୍ତି ।