ମହାରାଷ୍ଟ୍ରର ୪ ସହରରେ ବଢିଲା କର୍ଫ୍ୟୁ, ବିଜେପିର ବିରୋଧ

ମୁମ୍ବାଇ,ଏଜେନ୍ସି: ତ୍ରିପୁରାରେ ମୁସଲମାନ ସମ୍ପ୍ରଦାୟ ବିରୁଦ୍ଧରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ବିରୋଧରେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲା ସମେତ ୪ ସହରରେ କର୍ଫ୍ୟୁ ଲାଗିଛି। ଯାହାକୁ ବିରୋଧ କରିଛି ବିଜେପି। ହିଂସା ଘଟଣାର ପ୍ରତିବାଦରେ ଗତକାଲି(ରବିବାର) ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ପୁଲିସ ପକ୍ଷକୁ ସୂଚନା ମିଳିଛି।

ଶୁକ୍ରବାର ଓ ଶନିବାର ଦିନ ଅମରାବତୀ ସହରରେ ଘଟିଥିବା ପଥର ଫିଙ୍ଗିବା ଘଟଣାରେ ପୁଲିସ ମୋଟ ୫୦ ଜଣଙ୍କୁ ଗିରଫ କରିଥିଲା। ରବିବାର ଦିନ ଅମରାବତୀରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ଏସଆରପିଏଫ (ଷ୍ଟେଟ ରିଜର୍ଭ ପୋଲିସ ଫୋର୍ସ)ର ଆଠଟି ବାଟାଲିୟନ ଏବଂ ବିଭିନ୍ନ ଜିଲ୍ଲାରୁ ଅତିରିକ୍ତ ସଂଖ୍ୟକ ପୋଲିସ କର୍ମଚାରୀ ସହରରେ ନିୟୋଜିତ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ ଯଶୋମତି ଠାକୁର।

ଅମରାବତୀରେ ଏସଆରପିଏଫର ଆଠଟି ବାଟାଲିୟନ ଏବଂ ଜଲନା, ନାଗପୁର, ୱାର୍ଡ଼ ଏବଂ ବୁଲଡାନା ଜିଲ୍ଲାରୁ ଅତିରିକ୍ତ ପୋଲିସ ଫୋର୍ସ ଏବଂ ସମ୍ବେଦନଶୀଳ ଅଞ୍ଚଳରେ ପୁଲିସ ଦ୍ବାରା ଏକ ପଦଯାତ୍ରା କରାଯାଇଥିବା କହିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ। ଏହି ସମୟରେ ଅମରାବତୀର ଗ୍ରାମାଞ୍ଚଳରେ ବିଜେପି ପକ୍ଷରୁ ଏକ ବନ୍ଦ ପାଳନ ହୋଇଥିଲା।

ଶୁକ୍ରବାର ପଥର ଫିଙ୍ଗିବା ବିରୋଧରେ ଏକ ରାଲି କରିଥିବାରୁ ମହାରାଷ୍ଟ୍ରର ପୂର୍ବତନ କୃଷି ମନ୍ତ୍ରୀ ଅନିଲ ବୋନ୍ଦେ, ଏମଏଲସି ପ୍ରବୀଣ ପୋଟେ ଏବଂ ଅମରାବତି ଗ୍ରାମୀଣ ବିଜେପି ସଭାପତି ନିବେଦିତା ଚୌଧୁରୀଙ୍କୁ ପୋଲିସ ଗିରଫ କରିଥିଲା। ସମୁଦାୟ ୮ଜଣ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଅଟକ ରଖାଯାଇଥିଲା। ବର୍ତ୍ତମାନ ଅମରାବତୀର ମୋର୍ସି, ୱାରୁଦ, ଆଚଲପୁର ଏବଂ ଅଞ୍ଜଙ୍ଗାଓଁ ସୁରଜୀ ସହରରେ କର୍ଫ୍ୟୁ ଜାରି ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।