ଭକ୍ତଙ୍କୁ ପଚାରିଲେ ସସ୍ମିତ: ମହାଲିଙ୍ଗ କଲେଜ ଟ୍ରଷ୍ଟ୍‌ର ପ୍ରତିଷ୍ଠାତା ଟ୍ରଷ୍ଟି କିଏ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କଂଗ୍ରେସ ନେତା ଭକ୍ତଚରଣ ଦାସଙ୍କ ପୁଅ କ୍ରାନ୍ତି, ମହାଲିଙ୍ଗ ଟ୍ରଷ୍ଟ୍‌ର ଥିଲେ ପ୍ରତିଷ୍ଠାତା ଟ୍ରଷ୍ଟି। ସଭାପତି ଓ ଅଧ୍ୟକ୍ଷ ଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ମିଶି ସେ ଏହାକୁ ଚଳାଉଥିଲେ। ଭକ୍ତ ଦାସ ମହାଲିଙ୍ଗ କଲେଜର ଜଣେ ଛାୟା ମାଲିକ ଥିଲେ। ସେ ବିଜେଡିକୁ ପ୍ରଶ୍ନ କରିବା ପୂର୍ବରୁ ମହାଲିଙ୍ଗ କଲେଜ ସହ ଜଡ଼ିିତ ପ୍ରଶ୍ନର ଉତ୍ତର ଦେବା ଉଚିତ୍। ଯଦି ତାଙ୍କ ନିକଟରେ କିଛି ପ୍ରମାଣ ଅଛି, ତେବେ ସେ ଓଡ଼ିଶା ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଖଲ କରନ୍ତୁ। କୋର୍ଟଙ୍କୁ ଏହା ଉପରେ ନିଷ୍ପତ୍ତି ନେବାକୁ ଦିଅନ୍ତୁ। ଏଭଳି ଢଙ୍ଗରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣଙ୍କୁ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ଟାର୍ଗେଟ୍ କରିଛନ୍ତି।

ଶନିବାର କଂଗ୍ରେସ ସାମ୍ବାଦିକ ସମ୍ମିଳନୀର ଜବାବ୍ ଦେଇ ବିଜେଡି ମୁଖପାତ୍ର ଡକ୍ଟର ପାତ୍ର କହିଛନ୍ତି ଯେ ଯେଉଁ ଟ୍ରଷ୍ଟ୍ ଦଲିଲ୍ ଉପସ୍ଥାପନ କରାଯାଇଛି, ସେଥିରୁ ଜଣାପଡ଼ୁଛି ଭକ୍ତଚରଣ ଦାସଙ୍କ ପୁଅ କ୍ରାନ୍ତି ହିଁ ଟ୍ରଷ୍ଟ୍‌ର ପ୍ରତିଷ୍ଠାତା ଟ୍ରଷ୍ଟି। ସେ ମହାଲିଙ୍ଗ କଲେଜ ଚଳାଉଥିବା ଟ୍ରଷ୍ଟର ପ୍ରତିଷ୍ଠାତା ଟ୍ରଷ୍ଟି ଥିଲେ କି ନାହିଁ? ସେତେବେଳେ ଗୋବିନ୍ଦ ସାହୁ ଅଧ୍ୟକ୍ଷ ଥିଲେ କି ନାହିଁ? ଏନେଇ ଭକ୍ତ ଦାସ ସ୍ପଷ୍ଟ କରିବା ଦରକାର। ଓଡ଼ିଶା କଂଗ୍ରେସ ନିଜ ଦଳର ନେତା ଶ୍ରୀ ଦାସଙ୍କୁ ଏ ସଂକ୍ରାନ୍ତରେ ପଚାରିବା ଉଚିତ୍। ଅଭିଯୁକ୍ତ ଓ ପୀଡ଼ିତାଙ୍କ ସହିତ ତାଙ୍କର ଯେଉଁ ଫଟୋଗ୍ରାଫ୍ ରହିଛି, ତାହା ୨୦୨୦ରେ ଏକ ଉଦ୍‌ଘାଟନ କାର୍ଯ୍ୟକ୍ରମ ସମୟର କି ବୋଲି ପ୍ରଶ୍ନ ଉଠିଛି। ତେବେ ଭକ୍ତବାବୁ ମହାଲିଙ୍ଗ କଲେଜ ଓ ଅଭିଯୁକ୍ତଙ୍କ ନିକଟତର ଥିବାର ଆପାତତଃ ପ୍ରମାଣ ମିଳିଛି। ଯଦି ଜଣେ ମନ୍ତ୍ରୀ ମୁଖ୍ୟ ଅଭିଯୁକ୍ତଙ୍କ ସହ ଦେଖାଯାଉଛନ୍ତି ଏବଂ ଅଭିଯୁକ୍ତ କରିଥିବା ଅପରାଧ ସହ ଜଡିତ ହେବାର ପ୍ରମାଣ ହେଉଛି, ତେବେ ସମାନ ତର୍କଦ୍ୱାରା ଶ୍ରୀ ଭକ୍ତ ଦାସ ମଧ୍ୟ ବହୁତ ବଡ଼ ଅପରାଧୀ। ସେ ତାଙ୍କ ସାଂସଦ ହାତପାଣ୍ଠିରୁ ମହାଲିଙ୍ଗ କଲେଜକୁ ବାରମ୍ବାର ଅର୍ଥ ପ୍ରଦାନ କରିଛନ୍ତି। କଲେଜରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ତେଣୁ ଯୁକ୍ତି ଆଧାରରେ ତାଙ୍କୁ ମଧ୍ୟ ଗିରଫ କରାଯିବା ଉଚିତ୍। ସେଥିପାଇଁ ସେ ମିଥ୍ୟା ଓ ଭିତ୍ତିହୀନ କଥା କହୁଛନ୍ତି।

ଡକ୍ଟର ପାତ୍ର କହିଛନ୍ତି ଯେ ତେଲେଙ୍ଗାନାର ରଙ୍ଗାରେଡି ଜିଲ୍ଲା କଂଗ୍ରେସ କମିଟି (ଡିସିସି) ସଭାପତି କିଆମା ମାଲେଶ ଅଡିଓ ଟେପ୍ ଜାରି କରି କହିଥିଲେ, ଭକ୍ତ ଦାସ ୨୦୧୮ରେ ଇବ୍ରାହିମ୍‌ପାଟନମ୍ ବିଧାନସଭା ଆସନ ଟିକେଟ୍ ପାଇଁ ତାଙ୍କ ଠାରୁ ୩ କୋଟି ଟଙ୍କା ଦାବି କରିଥିଲେ। ଏହା ଦର୍ଶାଏ ଯେ ତାଙ୍କ ଦଳର ନେତାମାନେ ଭାବନ୍ତି ଯେ ଶ୍ରୀ ଭକ୍ତ ଦାସ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି। ତେଲେଙ୍ଗାନାରେ କଂଗ୍ରେସର ଆଶାକୁ ସଫଳତାର ସହିତ ଧ୍ୱଂସ କରିବା ପରେ କଂଗ୍ରେସ ଦଳ ତାଙ୍କୁ ତେଲେଙ୍ଗାନାରୁ ବାହାର କରିଦେଇଥିଲା। ପରେ ବିହାରର ପ୍ରଭାରୀ ହୋଇଥିଲେ। ଅକ୍ଟୋବର, ୨୦୨୧ରେ ବିହାର କଂଗ୍ରେସ ଦଳର ଶତାଧିକ ସଦସ୍ୟ ଏବଂ ସମର୍ଥକ ପାଟ୍‌ନାରେ ଶ୍ରୀ ଦାସଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିହାର ଉପନିର୍ବାଚନରେ ସେ ଟିକେଟ୍ ବିକ୍ରି କରୁଥିବା ଏବଂ ଟଙ୍କା ସଂଗ୍ରହ କରୁଥିବାରୁ ତାଙ୍କୁ ପଦରୁ ହଟାଇବାକୁ ଦାବି ହୋଇଥିଲା। ଏପରିକିି ବିହାରରେ ବିଜେପିର ଏଜେଣ୍ଟ ଭାବେ କାର୍ଯ୍ୟକରି ଆର୍‌ଜେଡି-କଂଗ୍ରେସ ମହାମେଣ୍ଟକୁ ଭାଙ୍ଗିବା ପାଇଁ ସେ କାର୍ଯ୍ୟ କରିଥିଲେ। ବିହାରରେ ବିଜେପି ତାଙ୍କୁ ସଫଳତାର ସହ ବ୍ୟବହାର କରିବା ପରେ ଓଡ଼ିଶା ବିଜେପି ବର୍ତ୍ତମାନ ତାଙ୍କୁ କଳାହାଣ୍ଡିରେ ଏହାର ରାଜନୈତିକ ଏଜେଣ୍ଟ ଭାବରେ ବ୍ୟବହାର କରୁଛି। ତାଙ୍କର ଭିତ୍ତିହୀନ ଓ ବିଭ୍ରାନ୍ତକାରୀ ପ୍ରକୃତି ଯୋଗୁଁ ୨୦୧୯ ସଂସଦ ନିର୍ବାଚନରେ କଳାହାଣ୍ଡି ଲୋକେ ତାଙ୍କୁ ତୃତୀୟ ସ୍ଥାନକୁ ଠେଲି ଦେଇଥିଲେ। ପୁଣିଥରେ କଳାହାଣ୍ଡି ଓ ଓଡ଼ିିଶାବାସୀଙ୍କ ସମ୍ମୁଖରେ ତାଙ୍କର ମୁଖା ଖୋଲିଯାଇଛି ବୋଲି ବିଜେଡି ମୁଖପାତ୍ର ଡକ୍ଟର ପାତ୍ର କଟାକ୍ଷ କରିଛନ୍ତି।