ମନ୍ତ୍ରୀ ଓ ସହଯୋଗୀଙ୍କ କଲ୍ ରେକର୍ଡ ଯାଞ୍ଚହେଉ: ଭକ୍ତଚରଣ ଦାସ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ କହିଥିଲେ ଯେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ତାଙ୍କ ସହଯୋଗୀଙ୍କ କଲ୍ ରେକର୍ଡ ଯାଞ୍ଚ କରାଯାଉ। ମମିତାଙ୍କ ନିଖୋଜ ପୂର୍ବରୁ ଓ ପରେ ମନ୍ତ୍ରୀ ଶ୍ରୀ ମିଶ୍ର କେଉଁ କେଉଁ ଜାଗାକୁ ଗସ୍ତ କରିଥିଲେ। ଗସ୍ତ ସମୟରେ ତାଙ୍କର ରାୟପୁର ନିବାସକୁ ଯାଇଥିଲେ କି ନାହିଁ। ଯଦି ଯାଇଥିଲେ, ତାଙ୍କ ସାଙ୍ଗରେ ଆଉ କିଏ କିଏ ଯାଇଥିଲେ। ଏହାର ସୂଚୀ ଶୀଘ୍ର ରାଜ୍ୟ ସରକାର ସାର୍ବଜନୀନ କରନ୍ତୁ।

ଗଣତନ୍ତ୍ରକୁ ସୁରକ୍ଷା ଓ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଯଥାଶୀଘ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର କରନ୍ତୁ। ଏହି ହତ୍ୟାକାଣ୍ଡର ଏକ ଉଚ୍ଚସ୍ତରୀୟ ନ୍ୟାୟିକ ତଦନ୍ତ କରାନ୍ତୁ। ମହାଲିଙ୍ଗ କଲେଜ କଳାହାଣ୍ଡି ଜିଲ୍ଲାର ଏକ ଅଗ୍ରଣୀ ଅନୁଷ୍ଠାନ। ଏମ୍‌ପି ଥିଲା ବେଳେ ଆଞ୍ଚଳିକ ପାଣ୍ଠିରୁ ସେ ଏହି ଅନୁଷ୍ଠାନକୁ ଅର୍ଥ ସାହାଯ୍ୟ କରିଥିଲେ। ଚାରି ଚାରି ଥର କଲେଜର ବାର୍ଷିକ ଉତ୍ସବରେ ଯୋଗଦେଇଥିଲେ। କିନ୍ତୁ ପରେ ମନ୍ତ୍ରୀ ଦିବ୍ୟଶଙ୍କର ଏଭଳି ଏକ ଅନୁଷ୍ଠାନକୁ ରଙ୍ଗଶାଳାରେ ପରିଣତ କରିବା ବ୍ୟଥିତ ଓ ଆଶ୍ଚର୍ଯ୍ୟ ଚକିତ କରିଛି ବୋଲି କହିଛନ୍ତି ଭକ୍ତ।