ମାଓବାଦୀ ନାଁରେ ଧମକ ଦେଇ ଯୁବକ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ମାଓବାଦୀ ନାଁରେ ନିଜ କମ୍ପାନୀର ସାଇଟ ଇନଚାର୍ଜ ଓ ଏଚଆର ହେଡ଼ଙ୍କୁ ଧମକ ଦେଇ ଜଣେ ଯୁବକ ଗିରଫ ହୋଇଛି। ଗିରଫ ଯୁବକ ଜଣକ ବେଦାନ୍ତ କମ୍ପାନୀରେ ଠିକା କାମ କରୁଥିବା ସିମେନ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ କମ୍ପାନୀରେ ଫିଟର ଭାବରେ କାର୍ଯ୍ୟ କରୁଥିବା ଯୁଧୀଷ୍ଠିର ପ୍ରଧାନ(୩୬) ବୋଲି ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବକ, ଯୁଧୀଷ୍ଠିର ପଶ୍ଚିମ ଓଡ଼ିଶା ମାଓବାଦୀ ସଂଘ ନାଁରେ ତାଙ୍କ କମ୍ପାନୀର ସାଇଟ ଇନଚାର୍ଜ ଅବତୁର ଖାନଙ୍କୁ ଫୋନ କରି କମ୍ପାନୀରେ କାମ କରୁଥିବା ପଶ୍ଚିମ ଓଡ଼ିଶାର ଯୁବକଙ୍କୁ ବିଭିନ୍ନ ସୁବିଧା ଯୋଗାଇବା ସହ ମାଓ ସଂଗଠନ ନାଁରେ ଟଙ୍କା ମାଗିଥିଲେ। ଟଙ୍କା ନଦେଲେ ଜୀବନରୁ ମାରି ଦିଆଯିବ ବୋଲି ଚିଠି ଏବଂ ଫୋନ କରି ଅବତୁରଙ୍କୁ ଡରାଇଥିଲେ। ଏଥିରେ ଅବତୁର ଭୟଭୀତ ହୋଇ ଝାରସୁଗୁଡ଼ା ଛାଡ଼ି ନିଜ ଗାଁକୁ ପଳାଇଥିଲେ। ପରେ ଯୁଧୀଷ୍ଠିର ତାଙ୍କ କମ୍ପାନୀର ଏଚଆର ହେଡ଼ ରଞ୍ଜିତ ମହାପାତ୍ରଙ୍କୁ ମାଓବାଦୀର ପରିଚୟ ଦେଇ ଚିଠି ପଠାଇବା ସହ ଫୋନ କରି ଟଙ୍କା ମାଗିଥିଲେ ଏବଂ ପଶ୍ଚିମ ଓଡ଼ିଶାର ପିଲାଙ୍କୁ କାର୍ଯ୍ୟ କ୍ଷେତ୍ରରେ ସୁବିଧା ଯୋଗାଇବା ପାଇଁ ଧମକ ଦେଇଥିଲେ। ଏଥିସହିତ ତାଙ୍କ କଥାକୁ ଯଦି କମ୍ପାନୀ କର୍ତୃପକ୍ଷ ନ ମାନନ୍ତି ତେବେ ସେ ଏଚଆର ହେଡଙ୍କୁ ହତ୍ୟା କରି କଟା ମୁଣ୍ଡ ଜଙ୍ଗଲରେ ଫିଙ୍ଗିଦେବେ ବୋଲି ଧମକ ଦେଇଥିଲେ। ତେବେ ଏନେଇ ଅବତୁର ବଡ଼ମାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ନିଜକୁ ମାଓବାଦୀର ପରିଚୟ ଦେଇ ଧମକ ଦେଉଥିବା ଯୁଧୀଷ୍ଠିରକୁ ଗିରଫ କରି କୋର୍ଟ ଚାଲାଣ କରିଛି।