- ପାତ୍ରପୁର: ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଶ୍ରୀକାକୁଲମ ଜିଲ୍ଲା ପଲାସା ମଣ୍ଡଳ ଅଧୀନ ସୁମାଦେବୀପେଟା ଗ୍ରାମ ୧୬ ନଂ. ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଆର୍ମଡ ରିଜର୍ଭ ୱିଙ୍ଗର ୪ ଜଣ ପୁଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ସବଇନସପେକ୍ଟର କେ. କ୍ରିଷ୍ଣୁଡ଼ୁ, ଦୁଇ ଜଣ ମୁଖ୍ୟ କନଷ୍ଟେବଳ ୱାଇ.ବାବୁ ରାଓ, ପି.ଆଣ୍ଟୋନି ଓ ପୁଲିସ ଭ୍ୟାନ ଚାଳକ ପି.ଜନାର୍ଦ୍ଦନ ରାଓ।
ମୃତକମାନେ ଆଜି ସକାଳେ ଜଣେ ଯବାନଙ୍କ ଶବକୁ ହସ୍ତାନ୍ତର କରି ବୀରସରଙ୍ଗପୁରମରୁ ଭ୍ୟାନରେ ଫେରୁଥିଲେ। ଏହି ସମୟରେ ସୁମାଦେବୀପେଟା ଗ୍ରାମ ୧୬ ନଂ. ଜାତୀୟ ରାଜପଥ ନିକଟରେ ଭ୍ୟାନର ଆଗ ଚକ ଫାଟିଯାଇଥିଲା। ଫଳରେ ଚାଳକ ଭାରସାମ୍ୟ ହରାଇବାରୁ ଗାଡ଼ିଟି ଏକ ଡିଭାଇଡର ଉପରକୁ ଚଢ଼ିଯାଇଥିଲା। ଏତିକିବେଳେ ବିପରୀତ ଦିଗରୁ ଆସୁଥିବା ଏକ ଲରି ପୁଲିସ ଭ୍ୟାନକୁ ଧକ୍କା ଦେବାରୁ ୪ ଜଣ କର୍ମଚାରୀ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଶବକୁ ଶ୍ରୀକାକୁଲମ ପୁଲିସ ଉଦ୍ଧାର କରିଥିଲା।