ନୂଆଦିଲ୍ଲୀ,ଏଜେନ୍ସି: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ସ୍ବଦେଶ ଫେରୁଛନ୍ତି ବିଭିନ୍ନ ଦେଶର ନାଗରିକ। ଆଜି ସକାଳେ ଆଫଗାନିସ୍ତାନର କାବୁଲରୁ ଉଡାଣ ଭରିଥିବା ଭାରତୀୟ ବାୟୁସେନାର ସି-୧୭ ବିମାନ ଗାଜିଆବାଦର ହିଣ୍ଡନ ଆଇଏଏଫ୍ ବେସରେ ଅବତରଣ କରିଛି। ତେବେ ବିମାନରେ ୧୦୭ ଜଣ ଭାରତୀୟ ନାଗରିକଙ୍କ ସମେତ ୧୬୮ ଜଣ ଥିଲେ ଏବଂ ସେମାନଙ୍କର ଆରଟି-ପିସିଆର ଟେଷ୍ଟ ପରେ ହିଁ ଯାତ୍ରୀମାନେ ବିମାନ ବନ୍ଦରରୁ ବାହାରକୁ ଆସିବେ ବୋଲି ଜଣାପଡ଼ିଛି।
କାବୁଲରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଜାରି ରହିଥିବା ବେଳେ ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ଫେରିଛନ୍ତି ଆଉ ୮୭ ଭାରତୀୟ। କାବୁଲରୁ ଭାୟା ତାଜିକସ୍ତାନ ଦେଇ ଦିଲ୍ଲୀ ୮୭ ଭାରତୀୟ ଫେରିଥିବା ବେଳେ ସେମାନଙ୍କ ସହ ୨ ଜଣ ନେପାଳି ନାଗରିକ ଫେରିଥିବା ସୂଚନା ରହିଛି। ବିମାନରେ ଫେରିବାବେଳେ ‘ଭାରତ ମାତା କି ଜୟ’ ନାରା ଦେଇଥିଲେ ଯାତ୍ରୀମାନେ। ସେହିପରି ଦୋହା ଦେଇ କାବୁଲରୁ ଫେରୁଛନ୍ତି ଆଉ ୧୩୫ ଭାରତୀୟ। କାବୁଲରୁ ପ୍ରତିଦନ ଭାରତ ଆସିବା ପାଇଁ ଦୁଇଟି ବିମାନ ଉଡାଣକୁ ଅନୁମତି ମିଳିଛି।