ନୂଆଦିଲ୍ଲୀ: ବିବାହିତ ମହିଳାଙ୍କୁ ପ୍ରେମ ନିବେଦନ କରିବା କିମ୍ବା ଚିଠି ଦେବା ଏକ ଗୁରୁତର ଅପରାଧ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି। ୧୦ ବର୍ଷ ପୁରୁଣା ଏକ ମାମଲା ଉପରେ ଶୁଣାଣି କରି ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚ ଏହି ରାୟ ଶୁଣାଇଛନ୍ତି। ବିବାହିତ ମହିଳାଙ୍କ ଉପରକୁ ଲଭ୍ ଲେଟର ଫିଙ୍ଗିବା ବା ପ୍ରେମ ନିବେଦନ କରିବା ହେଉଛି ମହିଳାଙ୍କ ଇଜ୍ଜତକୁ ନେଇ ଖେଳିବା ସହ ସମାନ। ଏହି ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଉପରେ ଜୋରିମାନା ମଧ୍ୟ ଲଗାଇଛନ୍ତି। ଅଦାଲତ ନିଜ ଟିପ୍ପଣୀରେ କହିଛନ୍ତି ଯେ, କୌଣସି ମହିଳାଙ୍କ ପାଇଁ ନିଜ ଇଜ୍ଜତ ହେଉଛି ତାଙ୍କର ଗହଣା। ଆଉ ପ୍ରେମ ପାଇଁ କୌଣସି ବିବାହିତା ମହିଳାଙ୍କ ଉପରକୁ ଚିଠି ଫିଙ୍ଗିବା ହେଉଛି କାହା ଇଜ୍ଜତ ସହ ଖେଳିବା ଭଳି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଏହି ମାମଲାର ମାପଦଣ୍ଡ କରିବା ପାଇଁ କୌଣସି ଫିକ୍ସ ଫର୍ମୁଲା ନାହିଁ।
୨୦୧୧ ମସିହାରେ ଏହି ଘଟଣା ଘଟିଥିଲା। ଯେତେବେଳେ ରାସନ ଦୋକାନ ଚଳାଉଥିବା ଜଣେ ବ୍ୟକ୍ତି ୪୫ ବର୍ଷୀୟା ମହିଳାଙ୍କୁ ପ୍ରେମ ସମ୍ପର୍କିତ ଚିଠି ଦେବାକୁ ଚେଷ୍ଟା କରିଥିଲା। ଯେତେବେଳେ ମହିଳା ଏହାକୁ ବାରଣ କରିଥିଲେ ସେତେବେଳେ ସେ ମହିଳାଙ୍କ ଉପରକୁ ଚିଠି ଫିଙ୍ଗି ଦେଇଥିଲା। ଫିଙ୍ଗିବା ସମୟରେ ଆଇ ଲଭ୍ ୟୁଚହିଥିଲା। ଏପରିକି ଅଶ୍ଲୀଳ ଇଙ୍ଗିତ ମଧ୍ୟ କରିଥିଲା। ଘଟଣା ସମ୍ପର୍କରେ କାହାକୁ କିଛି ନକହିବା ପାଇଁ ମଧ୍ୟ ମହିଳାଙ୍କୁ ସେ ଧମକ ଦେଇଥିଲା। ଏହି ମାମଲାକୁ ନେଇ ପିଡ଼ୀତା ମହିଳା ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଦାଲତ ଦୋକାନୀକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥିସହ ତା’ ଉପରେ ୪୦ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି। ଏହି ଜରିମାନାରୁ ୩୫ ହଜାର ଟଙ୍କା ମହିଳାଙ୍କୁ ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।