ଆଉ ଏକ ନୂଆ ଭାଇରସ, ନେଲା ପ୍ରଥମ ଜୀବନ

  • ନୂଆଦିଲ୍ଲୀ: କରୋନା ଭାଇରସରୁ ମୁକ୍ତି ମିଳିନାହିଁ, ଏହା ମଧ୍ୟରେ ଆଉ ଏକ ନୂଆ ଭାଇରସ ଏଣ୍ଟ୍ରି ମାରିସାରିଲାଣି। ପଶ୍ଚିମ ଆଫ୍ରିକୀୟ ଦେଶ ଗିନିରେ ବିପଜ୍ଜନକ ମାରବର୍ଗ ଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏନେଇ ଖୁଲାସା କରିଛି। ମାରବର୍ଗ ଭାଇରସକୁ ଇବୋଲା ଓ କରୋନାଠୁ ମଧ୍ୟ ଅଧିକ ବିପଜ୍ଜନକ ବୋଲି କୁହାଯାଉଛି। ଏହା ପଶୁଙ୍କଠୁ ମଣିଷଙ୍କୁ ବ୍ୟାପିପାରେ। ଏହି ଭାଇରସରେ ୨ ଅଗଷ୍ଟରେ ଦକ୍ଷିଣ ଗୁଏକେଡୈ ପ୍ରାନ୍ତରେ ଜଣେ ବ୍ୟକ୍ତିର ମୃତ୍ୟୁ ହେବା ପରେ ଲୋକମାନେ ଡରିଯାଇଛନ୍ତି। ଡବଲ୍ୟୁଏଚଓ ଅନୁସାରେ ମାରବର୍ଗ ଭାଇରସ ବାଦୁଡିଠୁ ବ୍ୟାପିଥାଏ। ଏହାର ମୃତ୍ୟୁହାର ୮୮ ପ୍ରତିଶତ ପର୍ଯ୍ୟନ୍ତ ହୋଇଥାଏ। ଆଫ୍ରିକାର ଡବଲ୍ୟୁଏଚଓର ଆଞ୍ଚଳିକ ନିର୍ଦ୍ଦେଶକ ଡାକ୍ତର ମାତ୍ୟିଦିଶୋ ମୋଏତି କହିଛନ୍ତି ଯେ, ମାରବର୍ଗ ଭାଇରସକୁ ଦୂର ପର୍ଯ୍ୟନ୍ତ ବ୍ୟାପିବାକୁ ରୋକିବା ପାଇଁ ଆମେ ଏହାକୁ ନିଜ ଟ୍ରାକରେ ରୋକିବା ଆବଶ୍ୟକତା ରହିଛି।
    ଡବଲ୍ୟୁଏଚଓ ଅନୁସାରେ ଯେତେବେଳେ କୌଣସି ବ୍ୟକ୍ତି ଏହା ସମ୍ପର୍କରେ ଆସେ ତେବେ ତା ଶରୀରରେ ବାହାରୁଥିବା ଦୂଷିତ ପୃଷ୍ଠ ବା ସାମଗ୍ରୀ ସମ୍ପର୍କରେ ଆସି ବ୍ୟକ୍ତିକୁ ଏତେ ସଂକ୍ରମିତ କରିଦିଏ ଯେ ଏହାର ଚିକିତ୍ସା ଅସମ୍ଭବ ହୋଇପଡେ ଏବଂ ବ୍ୟକ୍ତିର ମୃତ୍ୟୁ ହୁଏ। ମାରବର୍ଗ ଭାଇରସର ଲକ୍ଷଣରେ ପ୍ରବଳ ଜ୍ୱର, ମୁଣ୍ଡ ବିନ୍ଧା, ମାଂସପେଶୀରେ ଯନ୍ତ୍ରଣା ଦେଖାଦିଏ। ସଂକ୍ରମଣର ତୃତୀୟ ଦିନ ଲୁଜ୍ ମୋସନ, ପେଟରେ ଯନ୍ତ୍ରଣା ଏବଂ ବାନ୍ତି ହୋଇଥାଏ। ଧିରେ ଧିରେ ଶରୀର ଦୁର୍ବଳ ହୋଇଯାଏ। ସପ୍ତାହ ମଧ୍ୟରେ ରୋଗୀଙ୍କ ବ୍ଲିଡିଂ ମଧ୍ୟ ହୋଇଥାଏ। ବାନ୍ତି ଓ ମଳ ସହିତ ନାକ, ଦାନ୍ତ ମାଢି ଏବଂ ପରିସ୍ରା ଦ୍ୱାରରୁ ମଧ୍ୟ ରକ୍ତ ବାହାରିଥାଏ । ୧୫ ଦିନ ବେଳକୁ ରୋଗୀର ମୃତ୍ୟୁ ହୋଇପାରେ।୧୯୬୭ରେ ଜର୍ମାନୀର ମାରବର୍ଗ ଓ ଫ୍ରେକଫର୍ଟ ବେଲଗ୍ରେଡ୍, ସର୍ବିୟାରେ ଏହି ରୋଗ ସମ୍ପର୍କରେ ଜଣାପଡିଥିଲା। ୟୁଗାଣ୍ଡା ଓ ଆଫ୍ରିକାର ସବୁଜ ମାଙ୍କଡ଼ମାନଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନରେ ଏହି ତଥ୍ୟ ସାମ୍ନାକୁ ଆସିଥିଲା।a