କାବୁଲ,ଏଜେନ୍ସି: ଆଫଗାନିସ୍ତାନରେ ତାଲିବାନର ଆତଙ୍କରାଜ ଜାରି ରହିଛି। ଏହାମଧ୍ୟରେ ଆମେରିକା ତାଲିବାନ ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ପରେ ବି ୟୁଏସ ତାଲିବାନର ଆତଙ୍କକୁ ପ୍ରଶ୍ରୟ ଦେବାକୁ ଚାହୁଁନାହିଁ। ରବିବାର ୟୁଏସର ଲଢୁଆ ବିମାନ ବି-୫୨ ବମ୍ବରରୁ ଆତଙ୍କବାଦୀଙ୍କ ଉପରେ ବୋମା ବର୍ଷଣ ହୋଇଛି।
ଆଫଗାନ ସେନାର କହିବାନୁସାରେ, ଗତ ୨୪ ଘଣ୍ଟାରେ ହୋଇଥିବା ଏୟାର ଷ୍ଟ୍ରାଇକରେ ୫୭୨ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହାସହ ୩୦୯ ଜଣ ଆହତ ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଷ୍ଟ୍ରାଇକର ଭିଡିଓ ଜାରି କରିଛି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ୟୁଏସ ବି-୫୨ ବିମାନରୁ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରି ବୋମା ବର୍ଷଣ କରୁଛି। ନାଙ୍ଗରହାର, ଲଘମନ, ମଜନୀ, ପକାତିକା, କାନ୍ଦହାର, ଉରଜଗନ, ହେରାତ, ଫାରହା, ଜାବଜାନ, ନିମରୁଜ, ତାଖର ଆଦି ଅଞ୍ଚଳରେ ସେନା ଅପରେସନ କରିଥିଲା। ୨୪ ଘଣ୍ଟା ଧରି ଅପରେସନ ଚାଲିଥିଲା।
ଆମେରିକାର ଲଢୁଆ ବିମାନ ରବିବାର ସନ୍ଧ୍ୟାରୁ ହିଁ ଏୟାର ଷ୍ଟ୍ରାଇକ୍ ଆରମ୍ଭ କରିଦେଇଥିଲା। ୟୁଏସ ପ୍ରତିରକ୍ଷା ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ, ତାଲିବାନ ଠିକଣାରେ ବୋମା ବର୍ଷଣ ହୋଇଥିଲା। ଏଥିରେ ୨୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ୧୦୦ରୁ ଅଧିକ ଯାନବାହାନ ଓ ଗୋଳାବାରୁଦକୁ ନଷ୍ଟ କରାଯାଇଛି।