ନୂଆଦିଲ୍ଲୀ,ଏଜେନ୍ସି: ଟୋକିଓ ଅଲିମ୍ପିକ୍ସରେ ପଦକ ବିଜେତାଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ଚଳିତ ଅଲିମ୍ପିକ୍ସରେ ଭାରତ ରେକର୍ଡ ସଂଖ୍ୟକ ୭ଟି ପଦକ ହାସଲ କରିଛି। ଏହା ମଧ୍ୟରେ ୧ଟି ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ରହିଥିବା ବେଳେ ୪ଟି କାଂସ୍ୟ ପଦକ ହାସଲ କରିଛି।
ବିସିସିଆଇ ସମ୍ପାଦକ ଜୟ ଶାହା ପଦକ ହାସଲକାରୀଙ୍କ ପାଇଁ ଏହି ପୁରସ୍କାର ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ ନିରଜ ଚୋପ୍ରାଙ୍କୁ ବିସିସିଆଇ ପକ୍ଷରୁ ୧ କୋଟିର ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ମୀରାବାଇ ଚାନୁ ଓ ରବି କୁମାର ଦାହିୟାଙ୍କୁ ୫୦ ଲକ୍ଷର ସହାୟତା ମିଳିବ। ଏହା ବ୍ୟତିତ ବ୍ରୋଞ୍ଜ ପଦକ ବିଜେତା ପିଭି ସିନ୍ଧୁ, ଲଭଲିନା ବୋର୍ଗୋହେନ୍ ଏବଂ ବଜରଙ୍ଗ ପୁନିଆଙ୍କ ପାଇଁ ୨୫ ଲକ୍ଷର ସହାୟତା ରାଶି ଘୋଷଣା କରାଯାଇଛି। ଏହା ବ୍ୟତୀତ ୪୧ବର୍ଷ ପରେ ଇତିହାସ ରଚିଥିବା ଭାରତୀୟ ହକି ଦଳ ପାଇଁ ୧.୨୫ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି।