୩ଟି ରେଳ ଷ୍ଟେସନ ସମେତ ଅମିତାଭ ବଚ୍ଚନଙ୍କ ବଙ୍ଗଳା ଉଡାଇ ଦେବାକୁ ଧମକ

ମୁମ୍ବାଇ,ଏଜେନ୍ସି: ମୁମ୍ବାଇର ୩ଟି ରେଳ ରେଳ ଷ୍ଟେସନ ଏବଂ ଅମିତାଭ ବଚ୍ଚନଙ୍କ ବଙ୍ଗଳା ଉପରେ ବୋମା ବିସ୍ଫୋରଣ ପାଇଁ ଏକ ଫୋନ କଲ ଆସିବା ପରେ ମୁମ୍ବାଇ ପୁଲିସରେ ତତ୍ପରତା ପ୍ରକାଶ ପାଇଛି। ସୂଚନା ଅନୁସାରେ ଜଣେ ବ୍ୟକ୍ତି ମୁମ୍ବାଇ ପୁଲିସକୁ ଫୋନ ଯୋଗେ ବୋମା ସମ୍ପର୍କରେ ସୂଚନା ଦେଇଥିଲା। ମୁମ୍ବାଇର ତିନୋଟି ପ୍ରମୁଖ ରେଳ ଷ୍ଟେସନ ଏବଂ ଅଭିନେତା ଅମିତାଭ ବଚ୍ଚନଙ୍କ ବଙ୍ଗଳାରେ ବୋମା ଲଗାଯାଇଥିବା ସୂଚନା ମିଳିଥିଲା। ପରେ ଉକ୍ତ ସ୍ଥାନରେ ସୁରକ୍ଷାକୁ କଡ଼ାକଡ଼ି କରାଯିବା ସହ ବମ୍ ନିଷ୍କ୍ରିୟ ଦଳ ପହଞ୍ଚି ସର୍ଚ୍ଚ ଆରମ୍ଭ କରିଥିଲେ। ମାତ୍ର ଏଯାଏଁ କୌଣସି ବମର ସନ୍ଧାନ ମିଳିନଥିବା ମୁମ୍ବାଇ ପୁଲିସ ଅଧିକାରୀ କହିଛନ୍ତି।

ସୂଚନା ଅନୁସାରେ, ଶୁକ୍ରବାର ରାତିରେ ମୁମ୍ବାଇ ପୁଲିସର ମୁଖ୍ୟ ନିୟନ୍ତ୍ରଣ କକ୍ଷକୁ ଏକ କଲ ଆସିଥିଲା। ବ୍ୟକ୍ତି ଜଣକ କଲ କରି କହିଥିଲା ଯେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ, ବାଇକିଲ୍ଲା, ଦାଦର ରେଳ ଷ୍ଟେସନ ଏବଂ ଜୁହୁରେ ଅଭିନେତା ଅମିତାଭ ବଚ୍ଚନଙ୍କ ବଙ୍ଗଳାରେ ବୋମା ଖଞ୍ଜାଯାଇଛି। ଏହି ଖବର ପାଇବା ପରେ ପୁଲିସ ଉକ୍ତ ସ୍ଥାନରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି।