ରାଞ୍ଚି,ଏଜେନ୍ସି: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳକୁ ପଦକ ନାହିଁ। କିନ୍ତୁ ଦଳର ସମସ୍ତ ଖେଳାଳି କାଂସ୍ୟ ପଦକ ଲାଗି ଖେଳାଯାଇଥିବା ମ୍ୟାଚରେ ଉନ୍ନତ ପ୍ରଦର୍ଶନ କରିଥିଲେ। ରିଓ ଅଲିମ୍ପିକ୍ସ-୨୦୧୬ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଗ୍ରେଟ ବ୍ରିଟେନକୁ ଭାରତୀୟ ମହିଳା ଦଳ କଡ଼ା ମୁକାବିଲା କରିଥିଲେ। ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଖୁସି ଅନୁଭବ କରିଛନ୍ତି। ସେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ରାଜ୍ୟର ମହିଳା ଖେଳାଳିଙ୍କ ପାଇଁ ୫୦-୫୦ ଲକ୍ଷ ଟଙ୍କା ପୁରଷ୍କାର ରାଶି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଭାରତୀୟ ମହିଳା ହକି ଟିମରେ ଝାଡ଼ଖଣ୍ଡରୁ ସାଲିମା ଟେଟେ ଓ ନିକ୍କି ପ୍ରଧାନ ଅଂଶଗ୍ରହଣ କରିଥିଲେ।
ରାଜ୍ୟ ସରକାର ଅଲିମ୍ପିକ୍ସ ଆରମ୍ଭ ହେବା ପୂର୍ବରୁ ଘୋଷଣା କରିଥିଲେ ଯେ, ସ୍ୱର୍ଣ୍ଣ ପଦକ ଜିତିଲେ ୨ କୋଟି, ରୌପ୍ୟ ପଦକ ଜିତିଲେ ୧ କୋଟି ଏବଂ କାଂସ୍ୟ ପଦକ ଜିତିଲେ ଖେଳାଳିଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦେବେ। ସେହିପରି ସମସ୍ତ ଖେଳାଳିଙ୍କ ପୈତୃକ ଘରକୁ ପକ୍କା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।