ଆୟକର ଆଇନରେ ସଂଶୋଧନ କରିବେ ସରକାର

  • ନୂଆଦିଲ୍ଲୀ: ଭାରତ ସରକାର ଆୟକର ଆଇନରେ ସଂଶୋଧନ ପାଇଁ ଏକ ବିଲ୍ ଲୋକସଭାରେ ଆଗତ କରିଛନ୍ତି। ଏହି ବିଲ୍ ଗୃହୀତ ହେବା ପରେ ୨୦୧୨ରୁ ପ୍ରଚଳିତ ବିବାଦୀୟ ପଶ୍ଚାତଗାମୀ ଟିକସ ଆଦାୟ ନିୟମର ଅବସାନ ହେବ। ଆୟକର ଆଇନରେ ସଂଶୋଧନ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଲୋକସଭାରେ ଟାକ୍ସେସନ ଲ’ (ଆମେଣ୍ଡମେଣ୍ଟ) ବିଲ୍ ୨୦୨୧ ଆଗତ କରିଛନ୍ତି। ଏହି ବିଲ୍ ଗୃହୀତ ହେବା ପରେ ବିବାଦୀୟ ପଶ୍ଚାତଗାମୀ ଟିକସ ଆଦାୟ ନିୟମର ଅବସାନ ହେବା ସହ ଏହି ନିୟମ ଅନୁସାରେ ସରକାର ଆଦାୟ କରିଥିବା ଟିକସ ରାଶି ସମ୍ପୃକ୍ତ କମ୍ପାନିମାନଙ୍କୁ ଫେରସ୍ତ କରାଯିବ। ଏହି ନିୟମର ଅବସାନ ପରେ ଭାରତକୁ ବିଦେଶୀ ପୁଞ୍ଜିନିବେଶ ଆସିବା ଆହୁରି ସୁଗମ ହେବା ଆଶା କରାଯାଉଛି।
    ୨୦୧୨ରେ ପୂର୍ବତନ ଅର୍ଥମନ୍ତ୍ରୀ (ପରବର୍ତ୍ତୀ କାଳରେ ଭାରତର ରାଷ୍ଟ୍ରପତି) ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ଆୟକର ଆଇନରେ ସଂଶୋଧନ କରାଯାଇ ଏହି ବିବାଦୀୟ ପଶ୍ଚାତଗାମୀ ଟିକସ ଆଦାୟ ନିୟମକୁ ଆରମ୍ଭ କରାଯାଇଥିଲା। ଏହି ଆଇନ ଅନୁସାରେ ୨୦୧୨, ମେ ୨୮ ପୂର୍ବରୁ ଭାରତୀୟ ସମ୍ପତ୍ତିଗୁଡ଼ିକର ପରୋକ୍ଷ ହସ୍ତାନ୍ତରଣ ଉପରେ ଟିକସ ଆଦାୟ କରାଯାଉଥିଲା। ଏହି ନିୟମ ଅନୁସାରେ ଆୟକର ବିଭାଗ ପକ୍ଷରୁ ଭୋଡ଼ାଫୋନ ଓ କାର୍ନ ଏନର୍ଜିକୁ ଟିକସ ନୋଟିସ ପଠାଇଥିଲେ। ଏହା ବିରୋଧରେ ଉଭୟ କମ୍ପାନି ଅନ୍ତର୍ଜାତୀୟ ଆର୍ବିଟ୍ରେସନ ଟ୍ରିବ୍ୟୁନାଲର ଆଶ୍ରୟ ନେଇଥିଲେ। ମାମଲାର ବିଚାର କରି ଟ୍ରିବ୍ୟୁନାଲ ଉଭୟ କମ୍ପାନିଙ୍କ ସପକ୍ଷରେ ରାୟ ଶୁଣାଇଥିଲେ।