ଦାନ୍ତେୱାଡ଼ାରେ ବିସ୍ଫୋରଣ କରି ବୋଲେରୋ ‌ଉଡ଼ାଇ ଦେଲ ମାଓବାଦୀ; ଜଣେ ମୃତ, ୧୧ ଆହତ

ଛତିଶଗଡ଼,ଏଜେନ୍ସି: ଆଜି ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ ଏକ ବୋଲେରୋ ଗାଡ଼ିକୁ ‘ଆଇଇଡି’ ଦ୍ୱାରା ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି ମାଓବାଦୀ। ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୧୧ଜଣ ଆହତ ହୋଇଛନ୍ତି। ଏନେଇ ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ପୁଲିସ ସୂଚନାରେ ଗାଡ଼ିରେ ଅଧିକାଂଶ ବ୍ୟକ୍ତି ଶ୍ରମିକ ବୋଲି ଜଣାପଡ଼ିଛି। ବିସ୍ଫୋରଣ ପରେ ଗୁରୁତର ଆହତ ହୋଇଥିବା ୩ ଜଣଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଧନ ସିଂହ ନାମଧ୍ୟେୟ ବ୍ୟକ୍ତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଦାନ୍ତେୱାଡ଼ା ପୁଲିସ ସୁପରିଟେଣ୍ଡେଣ୍ଟ୍‌ ଅଭିଷେକ ପଲ୍ଲବ କହିଛନ୍ତି, ଘଟଣାଟି ସକାଳ ପ୍ରାୟ ସାଢ଼େ ୭ଟାରେ ମାଲେୱାଡ଼ି ଥାନା ଅଧୀନ ଘୋତିୟା ଗ୍ରାମ ନିକଟରେ ଘଟିଛି। ଜଣେ ମହିଳାଙ୍କ ସମେତ ଗାଡ଼ିରେ ଥିବା ୧୨ ଜଣ ଯାକ ଏହି ବିସ୍ଫୋରଣରେ ଆହତ ହୋଇଥିଲେ। ପୁଲିସ ଟିମ୍‌ ତୁରନ୍ତ ଘଟଣାସ୍ଥଳକୁ ଯାଇ ସେମାନଙ୍କୁ ଉଦ୍ଧାର କରିଥିଲା। ଉକ୍ତ ଗାଡ଼ିରେ ମଧ୍ୟପ୍ରଦେଶର ବାଲାଘାଟରୁ ଶ୍ରମିକମାନେ ତେଲେଙ୍ଗାନାକୁ ଯାତ୍ରା କରୁଥିଲେ।