୩୮ ମାଙ୍କଡ଼ଙ୍କୁ ନୃଶଂସଭାବେ ହତ୍ୟା

  • ବେଙ୍ଗାଲୁରୁ: ବର୍ବରତାର ସବୁ ସୀମା ଟପିଛି ଏ ମଣିଷ। ୫୦ରୁ ଅଧିକ ମାଙ୍କଡ଼କୁ କର୍ଣ୍ଣାଟକାର ଚୋୱଦାନହାଲି ଗାଁରେ କିଛି ଲୋକ ବିଷ ଦେବା ପରେ ସେମାନଙ୍କୁ ଅଖାରେ ଭର୍ତ୍ତି କରି ପ୍ରବଳ ମାଡ଼ ମାରିଛନ୍ତି। ଏଥିରେ ୩୮ଟି ମାଙ୍କଡଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨୦ଟି ଗୁରୁତର ହୋଇଛନ୍ତି।
    ମିଳିଥିବା ସୂଚନା ଅନୁଯାୟୀ, ଗାଁର କିଛି ଦୁର୍ବୃତ୍ତ ମାଙ୍କଡ଼ମାନଙ୍କୁ ପ୍ରଥମେ ଖାଇବାରେ ବିଷ ଦେଇଥିଲେ। ପରେ ମାଙ୍କଡ଼ମାନେ ସେଠାରେ ଟଳି ପଡ଼ିଥିଲେ। ଏହାପରେ ମାଙ୍କଡମାନଙ୍କୁ ଦୁର୍ବୃତ୍ତମାନେ ଏକାଧିକ ଅଖାରେ ଭର୍ତ୍ତି କରି ମାଡ଼ ମାରିବା ଆରମ୍ଭ କରିଥିଲେ। ମାଙ୍କଡମାନେ ନିସ୍ତେଜ ହେବା ଯାଏ ସେମାନଙ୍କୁ ମାଡ଼ ମରାଯାଇଥିଲା। ଶେଷରେ ଚୋୱଦାନହାଲି ଗାଁ ଦେଇ ଯାଇଥିବା ଜାତୀୟ ରାଜପଥ କଡ଼ରେ ଅଖାରେ ଭର୍ତ୍ତି ହୋଇଥିବା ମୃତାହାତ ମାଙ୍କଡ଼ମାନଙ୍କୁ ଦୁର୍ବୃତ୍ତମାନେ ଫିଙ୍ଗି ଦେଇଥିଲେ। କିଛି ସମୟରେ ଏକାଧିକ ବ୍ୟାଗ ରାସ୍ତା କଡ଼ରେ ପଡ଼ିଥିବାରୁ ସାଧାରଣ ଲୋକ ଏଥିରେ କ’ଣ ରହିଛି ବୋଲି ଜାଣିବା ପାଇଁ ଚାହିଁଥିଲେ। ହେଲେ ଏହାକୁ ଖୋଲିବା ପରେ ସମସ୍ତଙ୍କ ହୋଶ ଉଡ଼ିଯାଇଥିଲା। ବ୍ୟାଗ ଭିତରେ ରକ୍ତାକ୍ତ ଅବସ୍ଥାରେ ମାଙ୍କଡ଼ମାନେ ରହିଥିବା ସେମାନେ ଦେଖବାକୁ ପାଇଥିଲେ। ଅଖା ଭିତରେ ବଞ୍ଚିରହିଥିବା କିଛି ମାଙ୍କଡ଼ ବାହାରକୁ ଆସିବା ପରେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ଚଳପ୍ରଚଳ ହେବାକୁ ମଧ୍ୟ ଅକ୍ଷମ ଥିବା ଦେଖିବାକୁ ମିଳିଥିଲା। ଗାଁ ଲୋକମାନେ ସେମାନଙ୍କୁ ପାଣି ଦେଇ ଆଶୁ ଚିକତ୍ସା କରିଥିଲେ। ଖବରପାଇ ବରିଷ୍ଠ ପୁଲିସ ଓ ଜଙ୍ଗଲ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି ମୃତ ମାଙ୍କଡ଼ମାନଙ୍କର ଅନ୍ତିମ ସଂସ୍କାର ମଧ୍ୟ କରାଯାଇଛି। ପ୍ରାଥମିକ ରିପୋର୍ଟ ଅନୁସାରେ ମାଙ୍କଡ଼ମାନଙ୍କୁ ବିଷ ଦିଆଯାଇଥିବା ଜଣାପଡ଼ିଛି।a