ଲକ୍ଷେ୍ନø: ଟିକା ନେବା ପାଇଁ କେନ୍ଦ୍ରକୁ ଯାଇଥିବା ଜଣେ ୨୦ ବର୍ଷୀୟ ଯୁବକଙ୍କୁ ସେଠାରେ ନିୟୋଜିତ ପୁଲିସ୍ କର୍ମଚାରୀମାନେ ପ୍ରବଳ ମାଡ଼ ମାରିଥିଲେ। ଏହି ଘଟଣା ପରେ ଯୁବକ ଜଣଙ୍କ ଏତେ ଡରିଯାଇଥିଲେ ଯେ ସେ ଶେଷରେ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଛନ୍ତି।
ଏହାକୁ ନେଇ ବିବାଦ ସୃଷ୍ଟି ହେବାରୁ ୧୦ ଜଣ ପୁଲିସ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ସେହିପରି ଆତ୍ମହତ୍ୟା ପାଇଁ ଉସକାଇଥିବା ଅଭିଯୋଗରେ ୫ ଜଣ ପୁଲିସ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଉତ୍ତର ପ୍ରଦେଶର ବାଘପତ ଜିଲ୍ଲାରେ ଏପରି ଘଟଣା ଘଟିଛି।
ସୋମବାର ଯୁବକ ଜଣଙ୍କ ଟିକାନେବାକୁ ଯାଇଥିବାବେଳେ ଦୁଇ ଜଣ ପୁଲିସ ତାଙ୍କୁ ମାଡ଼ ମାରିଥିଲେ। ଆଉ ଜଣେ ବ୍ୟକ୍ତି ଏଥିରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ ହେଁ ପୁଲିସ ତାଙ୍କୁ ଧକ୍କା ମଧ୍ୟ ମାରିଥିବାର ଭିଡିଓ ସାମ୍ନାକୁ ଆସିଥିଲା। ଖାଲି ସେତିକି ନୁହେଁ, ଘଟଣା ପରେ ପୁଲିସ କର୍ମଚାରୀମାନେ ଯୁବକଙ୍କ ଘରେ ପହଞ୍ଚି ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଏଥିରେ ଭୟଭୀତ ହୋଇ ଯୁବକ ଜଣଙ୍କ ଗତକାଲି ରାତିରେ ଗାଁ ନିକଟରେ ଥିବା ଗଛରେ ରଶଇ ଲଗାଇ ଆତ୍ମହତ୍ୟା କରିଛନ୍ତି।
ଯୁବକଙ୍କ ବାପା କହିଛନ୍ତି ଯେ ‘ଟିକା ଦେଉଥିବା ମେଡିକାଲ କର୍ମଚାରୀ ମୋ ପୁଅର ନାଁ ଡାକୁଥିଲେ ମଧ୍ୟ ପୁଲିସ ତାକୁ ଭିତରକୁ ଛାଡ଼ି ନଥିଲା। ଏହାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପୁଲିସ କର୍ମଚାରୀମାନେ ମୋ ପୁଅକୁ ଧକ୍କା ମାରିବାରୁ ସେ ଏହାର କାରଣ ପଚାରିଥିଲେ। ହେଲେ ଉତ୍ତର ଦେବା ବଦଳରେ ତାକୁ ମାଡ଼ ମରାଯାଇଥିଲା।
ପୁଲିସ କର୍ମଚାରୀମାନେ ତାକୁ ଗୋଟିଏ ରୁମରେ ଭର୍ତ୍ତି କରି ଲାଠିରେ ମଧ୍ୟ ପିଟିଥିଲେ। ଆମେ କୌଣସି ମତେ ତାକୁ ସେଠାରୁ ଉଦ୍ଧାର କରି ଆଣିଥିଲୁ। କିନ୍ତୁ ସନ୍ଧ୍ୟାବେଳେ ପୁଣିଥରେ ୧୦ରୁ ଅଧିକ ପୁଲିସ କର୍ମଚାରୀ ଆମ ଘରକୁ ଆସି ମୋ ପୁଅ ଓ ପତ୍ନୀଙ୍କୁ ମାଡ଼ ମାରିଥିଲେ। ଏଥିରେ ଡରିଯାଇ ମୋ ପୁଅ ଦୌଡ଼ି ପଳାଇଥିଲା। ଆମେ ରାତିରେ ତା’ର ମୃତଦେହକୁ ଝୁଲନ୍ତା ଅବସ୍ଥାରେ ପାଇଥିଲୁ।’
ବାଘପତ ପୁଲିସ ମୁଖ୍ୟ ଅଭିଷେକ ସିଂହ କହିଛନ୍ତି, ଅଭିଯୋଗ ପରେ ୧୦ ଜଣଙ୍କୁ ନିଲମ୍ବିତ କରାଯାଇଛି। ଶବ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଘଟଣାରେ ସାମିଲ ଥିବା କାହାକୁ ମଧ୍ୟ ଛଡ଼ାଯିବ ନାହିଁ ବୋଲି ସେ କହିଛନ୍ତି।