ଏମଏସସି ସ୍କାମରେ ଫସିଲେ ଅଜିତ ପାୱାର

  • ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ(ଏମଏସସି) ଦୁର୍ନୀତି ଘଟଣାରେ ଗୁରୁବାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଆଜି ଇଡି ପକ୍ଷରୁ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନିୟନ୍ତ୍ରଣରେ ଥିବା ଗୋଟିଏ ଫାର୍ମ ସହ ଦୁର୍ନୀତି ଘଟଣାରେ ମୋଟ ୬୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଏହି ଜବତ ସମ୍ପତ୍ତି ମଧ୍ୟରେ ସାତାରାରେ ଥିବା ଜରାନଦେଶ୍ୱର ସହକାରୀ ଚିନି କାରଖାନାର ଜମି, ବିଲଡିଂ, ପ୍ଲାଣ୍ଟ ଓ ଯନ୍ତ୍ରପାତି ରହିଛି। ୨୦୧୦ରେ ଏହାକୁ ୬୫.୭୫ କୋଟି ଟଙ୍କାରେ କିଣାଯାଇଥିଲା। ଏହା ବର୍ତ୍ତମାନ ଗୁରୁ କମୋଡେଟି ସର୍ଭିସ ପ୍ରା.ଲିଃ ନାଁରେ ରହିଥିବାବେଳେ ଏହାକୁ ଜରାନଦେଶ୍ୱର ସୁଗାର ମିଲ୍ସ ପ୍ରା.ଲିଃକୁ ଲିଜ୍ରେ ଦିଆଯାଇଥିଲା। ଜରାନଦେଶ୍ୱର ସୁଗାର ମିଲ୍ସ ପ୍ରା.ଲିଃର ସିଂହ ଭାଗ ସ୍ପାରକଲିଙ୍ଗ ସଏଲ ପ୍ରା.ଲିଃ ନାଁରେ ରହିଛି। ତଦନ୍ତରୁ ଜଣାପଡ଼ିଛି ଯେ, ସ୍ପାରକଲିଙ୍ଗ କମ୍ପାନୀ ଅଜିତ ପାୱାର ଓ ତାଙ୍କ ପତ୍ନୀ ସୁନେତ୍ରାଙ୍କ ଭାଗ ରହିଛି। ତେବେ ଅଜିତ ପାୱାର ଇଡି ପକ୍ଷରୁ କୌଣସି ପ୍ରକାରର ନୋଟିସ ପାଇ ନଥିବା କହିଛନ୍ତି। ଏଥିସହ ଜରାନଦେଶ୍ୱର ସୁଗାର ମିଲ୍ସ ପ୍ରା.ଲିଃକୁ ଇଡି ଜବତ କରିଛି ବୋଲି ମଧ୍ୟ ସେ ଜାଣିନାହାନ୍ତି।