ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ପୁଲିସରେ ଆଜି ୩୯ ଜଣ କ୍ରୀଡ଼ାବିତଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ରାଜ୍ୟ ପୁଲିସ ବାହିନୀରେ ନବନିଯୁକ୍ତ ୩୯ଜଣ କ୍ରୀଡ଼ାବିତଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଥିଲେ। ଏହି କ୍ରୀଡ଼ାବିତଙ୍କ ମଧ୍ୟରେ ୩୦ଜଣ ମହିଳା ଓ ୯ଜଣ ପୁରୁଷ ଅଛନ୍ତି। ପୂର୍ବରୁ ରାଜ୍ୟ ପୁଲିସରେ ୬ଟି ପର୍ଯ୍ୟାୟରେ ମୋଟ ୯୬ ଜଣ କ୍ରୀଡ଼ାବିତଙ୍କୁ ବିଭିନ୍ନ ପଦପଦବୀରେ ନିଯୁକ୍ତି ମିଳିଛି। ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି କ୍ଷେତ୍ରରେ ରାଜ୍ୟ ସରକାର ଏକ ହଜାର କୋଟି ଟଙ୍କା ନିବେଶ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ୨୦୨୩ ବିଶ୍ୱ କପ୍ ହକି ମ୍ୟାଚକୁ ଦୃଷ୍ଟିରେ ରଖି ରାଉରକେଲାରେ ଦେଶର ସର୍ବବୃହତ୍ ହକି ଷ୍ଟାଡ଼ିୟମ ନିର୍ମାଣ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ପୁଲିସ ବାହିନୀରେ ନବନିଯୁକ୍ତ କ୍ରୀଡ଼ାବିତଙ୍କୁ ନିଜ କ୍ୟାରିୟରରେ ଭଲ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି। ସେମାନେ ନିଜର ପ୍ରଦର୍ଶନ ମାଧ୍ୟମରେ ରାଜ୍ୟ ତଥା ଦେଶର ନାଁ ରଖିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜିବ ଚୋପ୍ରା, ପୁଲିସ ଡିଜି ଅଭୟ, ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।