ନୂଆଦିଲ୍ଲୀ: ପାକିସ୍ତାନର ପଞ୍ଜାବ ସରକାର ଭ୍ୟାକ୍ସିନ ନେଉ ନଥିବା ଲୋକଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ଗ୍ରହଣ କରିଛି। ପଦକ୍ଷେପ ସ୍ୱରୂପ, ଯେଉଁମାନେ ଭ୍ୟାକ୍ସିନ ନ ନେବେ ସେମାନଙ୍କ ସିମକାର୍ଡ ବ୍ଲକ କରି ଦିଆଯିବ। ପ୍ରାନ୍ତୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ୟାସମିନ ରାଶିଦଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହିି ନିଷ୍ପତ୍ତି ନିଆଯାଇଛି। ଅଧିକରୁ ଅଧିକ ଲୋକଙ୍କୁ ଭ୍ୟାକ୍ସିନ ଲଗାଇବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ପ୍ରାଥମିକ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ, କୋଭିଡ-୧୯ ଟିକାକରଣ ଲକ୍ଷ୍ୟ ହାସଲ କରିବାରେ ପଞ୍ଜାବ ବିଫଳ ରହିଛି। ପ୍ରଥମ ଡୋଜ ଟିକା ଲଗାଇଥିବା ୩ରୁ ୪ଲକ୍ଷ ଲୋକ ଏପର୍ଯ୍ୟନ୍ତ ଦ୍ୱିତୀୟ ଡୋଜ୍ ନେଇ ନାହାନ୍ତି। ପାକିସ୍ତାନରେ ବଡ଼ ଆକାରର ଟିକାକରଣ କାର୍ଯ୍ୟକ୍ରମ ଫେବୃୟାରୀ ୨ରୁ ଆରମ୍ଭ ହୋଇଛି।