ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା: ଆଇଏମଡି

ନୂଆଦିଲ୍ଲୀ,ଏଜେନ୍ସି: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମଗ୍ର ଦେଶରେ ପ୍ରବେଶ କରୁଥିବାରୁ ବିଭିନ୍ନ ରାଜ୍ୟରେ ବର୍ଷା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ଏହା ପ୍ରଭାବରେ ଆସନ୍ତା କିଛି ଘଣ୍ଟା ମଧ୍ୟରେ ହରିୟାଣାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ରବିବାର ଆଇଏମଡି ଏନେଇ ସତର୍କ ସୂଚନା ଜାରି କରିଛନ୍ତି।

ଆଇଏମଡିଙ୍କ ସୂଚନା ଅନୁଯାୟୀ ଯମୁନାନଗର, କୁରୁକ୍ଷେତ୍ର, କୈଥଲ, କର୍ଣ୍ଣଲ, ପାନିପଥ, ଗାନ୍ନାଉର, ଫତେହାବାଦ, ବାରୱାଲା, ନରୱାନା, ରାଜଉନ୍ଦ, ଆସନ୍ଧ, ସଫିଡନ୍, ଜିନ୍ଦ, ଗୋହାନା, ହିସର, ହାନସି, ମେହାମ ଅଞ୍ଚଳରେ ପବନ, ବର୍ଷା ସାଙ୍ଗକୁ ବଜ୍ରପାତ ହେବା ନେଇ ସମ୍ଭାବନା ରହିଛି।

ସେହିପରି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ମଧ୍ୟପ୍ରଦେଶ, ଛତିଶଗଡ, ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର ଏବଂ ଉତ୍ତର ପ୍ରଦେଶର କେତେକ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ହେବ। ମୁମ୍ବାଇର ଥାନେ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।