ସିବିଏସ୍ଇ ପରୀକ୍ଷା ବାତିଲ୍ ହେବାରୁ ଫି’ ଫେରସ୍ତ ପାଇଁ ଅଭିଭାବକଙ୍କ ଦାବି

ନୂଆଦିଲ୍ଲୀ, ଏଜେନ୍ସି: ସିବିଏସଇ ପକ୍ଷରୁ ଚଳିତ ବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ୍ କରାଯାଇଛି। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ଠାରୁ ଆଦାୟ କରାଯାଇଥିବା ପରୀକ୍ଷା ଫି’ ଫେରସ୍ତ ପାଇଁ ଅଭିଭାବକମାନେ ଦାବି କରିଛନ୍ତି। ୨୦୨୦ ପରୀକ୍ଷା ପାଇଁ ସିବିଏସ୍ଇ ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫି’ ବୃଦ୍ଧି କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କୁ ଏବାବଦରେ ଦୁଇ ହଜାର ଟଙ୍କାରୁ ଅଧିକ ଦେବାକୁ ପଡ଼ିଥିଲା। ୨୦୨୦ରେ ଦିଲ୍ଲୀ ସରକାର ସବୁ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଫି’ ବହନ କରିଥିଲେ। କିନ୍ତୁ ଚଳିତ ବର୍ଷ ଏହା କରାଯାଇନାହିଁ। ସର୍ବଭାରତୀୟ ଅଭିଭାବକ ସଂଘ ପକ୍ଷରୁ ସିବିଏସଇ ଅଧ୍ୟକ୍ଷଙ୍କୁ ଏକ ପତ୍ର ଲେଖାଯାଇ ପରୀକ୍ଷା ବାତିଲ୍ ଘୋଷଣା କରାଯିବା ପରେ ନାମ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଫି’ ବାବଦରେ ନିଆଯାଇଥିବା ଅର୍ଥ ଫେରସ୍ତ କରାଯାଉ ବୋଲି ଦାବି କରାଯାଇଛି।