ମୋଦୀଙ୍କ ବିମାନକୁ ଅନୁମତି ଦେଲାନି ପାକିସ୍ତାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହୋଷ୍ଟନ୍ ଯାତ୍ରା ପାଇଁ ଆକାଶମାର୍ଗ ବ୍ୟବହାର କରିବାକୁ ପାକିସ୍ତାନ ଅନୁମତି ଦେଇନାହିଁ। ବୁଧବାର ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେସୀ ଏ ସମ୍ପର୍କରେ ଭାରତକୁ ଇମ୍ରାନ ସରକାରଙ୍କ ନିଷ୍ପତ୍ତି ଜଣାଇଛନ୍ତି। ଚଳିତ ସପ୍ତାହରେ ମୋଦୀ ଆମେରିକାର ହୋଷ୍ଟନକୁ ଯାତ୍ରା କରିବେ। ସେଠାରେ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ଯୋଗଦେବେ। ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ମୋଦୀ ଯୋଗ ଦେଉଥିବାରୁ ପ୍ରବାସୀ ଭାରତୀୟଙ୍କ ମନରେ ଯଥେଷ୍ଟ ଉତ୍ସାହ ଦେଖାଦେଇଛି। ପ୍ରଥମ ଥର ପାଇଁ ଆମେରିକାରେ ଅନୁଷ୍ଠିତ ପ୍ରବାସୀ ଭାରତୀୟଙ୍କ ସମାରୋହରେ ଆମେରିକା ରାଷ୍ଟ୍ରପତି ଯୋଗଦେଉଛନ୍ତି।

ନିକଟରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିମାନ ଯାତ୍ରା ପାଇଁ ପାକିସ୍ତାନ ଆକାଶମାର୍ଗ ଖୋଲିନଥିଲା। କଶ୍ମୀର ପରିସ୍ଥିତି ଉପରେ ଗୁରୁତ୍ୱାରୋପ କରି ପାକ୍ ବିଦେଶ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେସୀ ସେପ୍ଟେମ୍ବର ୮ରେ ଭାରତ ପାଇଁ ପାକିସ୍ତାନ ବିମାନପଥ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ବୋଲି ଜଣାଇ ଦେଇଥିଲେ। ପାକିସ୍ତାନର ନିଷ୍ପତ୍ତିକୁ ଭାରତୀୟ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରବୀଶ କୁମାର ଦୁର୍ଭାଗ୍ୟଜନକ କହିଥିଲେ। ରବୀଶଙ୍କ ମନ୍ତବ୍ୟ ଅନୁସାରେ ଭିଭିଆଇପିଙ୍କ ସ୍ୱତନ୍ତ୍ର ବିମାନ ଯାତ୍ରା ଉପରେ କଟକଣା ନିଷ୍ପତ୍ତି ନେଇ ପାକିସ୍ତାନ ଠିକ୍ କରିନାହିଁ। ଏ ନେଇ ଭାରତ ଅନୁରୋଧ କରିଥିଲେ ବି ପାକିସ୍ତାନ ପ୍ରତ୍ୟାଖାନ କରିଛି।