ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ବାତ୍ୟା ୟାସ୍ ଲ୍ୟାଣ୍ଡଫଲ କରିବା ସହ ଓଡ଼ିଶାର ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତେବେ ଏହି କ୍ଷୟକ୍ଷତିର ସମୀକ୍ଷା କରି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି। ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡ଼ିକର ୧୨୮ଟି ବିପନ୍ନ ଗାଁକୁ ୭ ଦିନ ଯାଏ ଯୋଗାଇ ଦିଆଯିବ ରିଲିଫ୍ ସାମଗ୍ରୀ। ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା ପରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ରାସ୍ତାଗୁଡ଼ିକର ପୁନରୁଦ୍ଧାର ହେବ ଓ ୮୦ ପ୍ରତିଶତ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ କାର୍ଯ୍ୟକ୍ଷମ ହେବ ବୋଲି ନିଷ୍ପତ୍ତି ହୋଇଛି।
ଏଥିସହିତ ମୁଖ୍ୟମନ୍ତ୍ରୀ ସରପଞ୍ଚ, ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଓ ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ମଧ୍ୟ ଏହି ବାତ୍ୟା ସମୟରେ ସ୍ୱାସ୍ଥ୍ୟସେବା ଜାରି ରଖିଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।