ଏମଭି ଏକ୍ସପ୍ରେସ୍ ପର୍ଲ ଜାହାଜରେ ବିସ୍ଫୋରଣ: ସୁରକ୍ଷିତ କ୍ର୍ୟୁ ସଦସ୍ୟ

କଲମ୍ବୋ,ଏଜେନ୍ସି: ଏମଭି ଏକ୍ସପ୍ରେସ୍ ପର୍ଲ ଜାହାଜ ଭିତରେ ବିସ୍ଫୋରଣ ଘଟିଛି। ଏନେଇ ଶ୍ରୀଲଙ୍କା ନୌସେନା ସୂଚନା ଦେଇଛି। ଏହି ସମୟରେ ଜାହାଜରେ ୨୫ କ୍ର୍ୟୁ ସଦସ୍ୟ ଥିଲେ। ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏହି କ୍ର୍ୟୁ ସଦସ୍ୟଙ୍କ ମଧ୍ୟରେ ଫିଲିପାଇନ, ଚାଇନିସ୍, ଭାରତୀୟ ଓ ଋଷିଆର ଲୋକ ଥିବା ଶ୍ରୀଲଙ୍କା ନୌସେନା କହିଛି। ଏହି ଜାହାଜରେ କଣ୍ଟେନର ଭର୍ତ୍ତି ହୋଇ ସିଙ୍ଗାପୁରକୁ ଯାଉଥିଲା। ପାଖାପାଖି ୧୪୮୬ଟି କଣ୍ଟେନର ଲୋଡ ହୋଇଥିବା ବେଳେ ୨୫ ଟନ୍ ନାଇଟ୍ରିକ୍ ଏସିଡ୍, ଅନ୍ୟ କେମିକାଲ ଓ କସମେଟିକ୍ ଲୋଡ ହୋଇଥିଲା।

ଏହି ଜାହାଜଟି ଭାରତର ହଜିରା ପୋର୍ଟରୁ ମଇ ୧୫ ତାରିଖରେ ସିଙ୍ଗାପୁର ଅଭିମୁଖେ ବାହାରିଥିଲା। ତେବେ କାହିଁକି ଏହି ବିସ୍ଫୋରଣ ହେଲା ତାହା ସ୍ପଷ୍ଟ ହୋଇନାହିଁ। ଏଥିସହିତ ଭାରତୀୟ କୋଷ୍ଟ ଗାର୍ଡର ବୈଭବ ଓ ବଜ୍ର ଜାହାଜ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ପ୍ରଦୂଷଣ ରୋକିବାକୁ ଉଦ୍ୟମ କରୁଛନ୍ତି।