ଭୁବନେଶ୍ୱର,ଏନ୍ଏନ୍ଏସ୍: ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ୱେଲମାର୍କଡ୍ ଲୋ-ପ୍ରେସରରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଏହା ବାତ୍ୟାର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ବିଭାଗର ପୂର୍ବାନୁମାନ ଅନୁସାରେ, ଆସନ୍ତା ୨୪ ତାରିଖରେ ବାତ୍ୟାର ରୂପ ନେବା ପରେ ‘ୟାସ୍’ ଉତ୍ତର, ଉତ୍ତର- ପଶ୍ଚିମ ଦିଗରେ ଗତି କରିବ। ସେହିପରି ଆସନ୍ତା ୨୬ ତାରିଖ ସଂଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ସମେତ ଓଡିଶା ଓ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ। ତେବେ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବ ସେନେଇ କୌଣସି ସ୍ପଷ୍ଟ ତଥ୍ୟ ଆଇଏମଡି ଦେଇନାହିଁ।
ଓଡିଶାର ମାତ୍ର ଦୁଇଟି ଜିଲ୍ଲା ଉପରେ ଏହାର ପ୍ରଭାବ ବିଶେଷ ଭାବେ ଅନୁଭୁତ ହେବ ବୋଲି କୁହାଯାଉଛି। ଓଡିଶାର ଦୁଇଟି ଜିଲ୍ଲା ଅର୍ଥାତ୍ ବାଲେଶ୍ୱର ଓ ଭଦ୍ରକ ଉପରେ ଏହାର ସବୁଠାରୁ ଅଧିକ ପ୍ରଭାବ ଅନୁଭୁତ ହେବ ବୋଲି ଅନୁମାନ କରାଯାଉଛି।
ସେଥିଲାଗି ଉକ୍ତ ଦୁଇଟି ଜିଲ୍ଲାକୁ ଏସଆରସିଙ୍କ ତତ୍ତ୍ୱାବଧାନରେ ପଦକ୍ଷେପ ନିଆଯିବ। ଏସଆରସି ଉଭୟ ଜିଲ୍ଲାକୁ ଗସ୍ତ କରିଛନ୍ତି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା କାଲି ସନ୍ଧ୍ୟା ବେଳକୁ ଓଡିଶା ଉପକୂଳରେ ପବନର ବେଗ ରହିବ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ସର୍ବାଧିକ ୬୦ କିମି ରହିବ। ସେହିପରି ୨୬ ତାରିଖ ଅପରାହ୍ଣ ବେଳକୁ ସର୍ବାଧିକ ୧୧୦ କିମି ବେଗରେ ବହିବ ନେଇ ଆକଳନ କରାଯାଉଛି।