ବାତ୍ୟା ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କଲେ ଏସ୍ଆରସି

ଭୁବନେଶ୍ୱର,ଏନ୍ଏନ୍ଏସ୍: ସମ୍ଭାବ୍ୟ ବାତ୍ୟା ୟସ୍ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସତନ୍ତ୍ର ରିଲିଫ୍ କମିସନର (ଏସ୍ଆରସି) ପ୍ରଦୀପ ଜେନା ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ରାଜ୍ୟର ଯେଉଁ ଜିଲ୍ଲାଗୁଡିକ ବାତ୍ୟା ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ରହିଛି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ପୁଲିସ ଅଧୀକ୍ଷକ, ଅତିରିକ୍ତ ଜରୁରୀକାଳୀନ ଅଧିକାରୀ, ଜିଲ୍ଲା ଅଗ୍ନିଶମ ସେବା ଅଧିକାରୀଙ୍କ ସହ ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶ୍ରୀ ଜେନା ବିସ୍ତୃତ ଆଲୋଚନା କରିଛନ୍ତି। ଏଥି ସହିତ ରାଜ୍ୟସ୍ତରରେ ସମ୍ପୃକ୍ତ ସମସ୍ତ ବିଭାଗକୁ ପ୍ରାକ୍ ପ୍ରସ୍ତୁତି କରିବାକୁ ଜଣାଇ ଦିଆଯାଇଛି। ବିଶେଷ କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଞ୍ଜାମ, ମୟୂରଭଞ୍ଜ, ଯାଜପୁର, ନୟାଗଡ, ଖୋର୍ଦ୍ଧା, କଟକ, ଗଜପତି ଜିଲ୍ଲାରେ ବାତ୍ୟାର ପ୍ରଭାବ ରହିବା ନେଇ ପୂର୍ବାନୁମାନ କରାଯାଇଛି। ସମସ୍ତ ଜିଲ୍ଲା ପ୍ରଶାସନ ସେମାନଙ୍କର ଅଧିକାରୀମାନଙ୍କ ଦ୍ୱାରା ବହୁମୁଖୀ ବାତ୍ୟା/ ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଗୁଡିକୁ ବ୍ୟବହାର ଉପଯୋଗୀ କରିବା ନିମନ୍ତେ କାର୍ଯ୍ୟାରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

ସୂଚନା ମୁତାବକ, ଆଶ୍ରୟସ୍ଥଳୀ ଗୁଡିକରେ ବିକଳ୍ପ ବିଦ୍ୟୁତ ଯୋଗାଣ, ପାନୀୟ ଜଳ, ପରିମଳ ବ୍ୟବସ୍ଥା ଇତ୍ୟାଦି ତଦାରଖ କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ସ୍ଥାନାନ୍ତରଣ ସମୟରେ ବିଶେଷକରି ବୃଦ୍ଧବୃଦ୍ଧା, ଅସୁସ୍ଥ ବ୍ୟକ୍ତି, ଭିନ୍ନକ୍ଷମ, ଗର୍ଭବତୀ ମହିଳା, ପ୍ରସୂତି ଏବଂ ଶିଶୁମାନଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବାକୁ ବ୍ୟବସ୍ଥା କରାଯାଇଛି। ସମ୍ପୃକ୍ତ ଅଞ୍ଚଳର ଡାକ୍ତରଖାନାରେ ବିକଳ୍ପ ବିଦ୍ୟୁତ ଯୋଗାଣ ପାଇଁ ଜେନେରେଟର ବ୍ୟବସ୍ଥା ମଧ୍ୟ କରାଯାଉଛି। ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଏବଂ ଏନଡିଆରଏଫ୍ କର୍ମଚାରୀମାନେ ସେମାନଙ୍କର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଛନ୍ତି। ବାତ୍ୟା ପୂର୍ବ ଓ ପରେ ଅତ୍ୟାବଶ୍ୟକ ଦ୍ରବ୍ୟର ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲ୍ଲାର ମତ୍ସ୍ୟ ଓ ପଶୁ ସମ୍ପଦ ଅଧିକାରୀଙ୍କ ଦ୍ୱାରା ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ସତର୍କ କରାଯାଇଛି। ମତ୍ସ୍ୟଜୀବୀଙ୍କ ବସ୍ତିରେ ଏ ସମ୍ବନ୍ଧରେ ଜନସଚେତନତା ପାଇଁ ମାଇକ୍ ଯୋଗେ ସୂଚନା ପ୍ରଦାନ କରାଯାଉଛି।

ନଗର ଉନ୍ନୟନ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସେମାନଙ୍କ ସମସ୍ତ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରସ୍ତୁତ ରହିବା ସହ ରାସ୍ତାଘାଟର ତ୍ୱରିତ ମରାମତି, ପାନୀୟଜଳ ବ୍ୟବସ୍ଥାକୁ ପୁନଃକାର୍ଯ୍ୟକ୍ଷମ କରିବା ନିମନ୍ତେ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶକ୍ତି ବିଭାଗ ତରଫରୁ ବାତ୍ୟା ପରବର୍ତ୍ତୀ ସମୟରେ କ୍ଷତିଗ୍ରସ୍ତ ବିଦ୍ୟୁତ ସରାବରାହ ଭିତ୍ତିଭୂମିର ତ୍ୱରିତ ପୁନଃନିର୍ମାଣ ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ କୁଶଳୀ କର୍ମୀ ଦଳ ଓ ଯନ୍ତ୍ରାଂଶ ଗଚ୍ଛିତ ରଖାଯାଉଛି। ବାତ୍ୟା ସମୟରେ ଦୂରସଞ୍ଚାର ବ୍ୟବସ୍ଥାର ସଠିକ୍ କାର୍ଯ୍ୟକ୍ଷମ ରଖିବା ଓ ପରବର୍ତ୍ତୀ ସମୟରେ କ୍ଷତିଗ୍ରସ୍ତ ଦୂରସଞ୍ଚାର ଭିତ୍ତିଭୂମିର ପୁନଃକାର୍ଯ୍ୟକାରୀ କରିବା ନିମନ୍ତେ ଗୁରୁବାର ଏସଆରସି ଶ୍ରୀ ଜେନା ଦୂରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା, ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗ, ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସହ ଆଲୋଚନା କରିଛନ୍ତି। ଉକ୍ତ ସେବା ପ୍ରଦାନକାରୀ ସଂସ୍ଥା ପକ୍ଷରୁ ସମ୍ଭାବ୍ୟ ବାତ୍ୟା ସମୟରେ ମାନବ ସମ୍ବଳ, ଯନ୍ତ୍ରାଂଶ ଓ ସାମଗ୍ରୀ ଆଦି ପ୍ରସ୍ତୁତ ରଖିବାକୁ ସହମତି ପ୍ରକାଶ ପାଇଥିବା ଜଣାପଡ଼ିଛି।