ଘରେ ରହି କରିପାରିବେ କୋଭିଡ ପରୀକ୍ଷା

ନୂଆଦିଲ୍ଲୀ,ଏଜେନ୍ସି: ଏଣିକି କୋଭିଡ ଟେଷ୍ଟ ପାଇଁ ଆଉ ସେଣ୍ଟରକୁ ଯାଇ ଲମ୍ବାଧାଡିରେ ଛିଡା ହେବାକୁ ପଡ଼ିବନି। ଘରେ ରହି ନିଜେ କରିପାରିବେ କୋଭିଡ ଟେଷ୍ଟ। ମାତ୍ର ୨ ମିନିଟରେ ଟେଷ୍ଟ ଏବଂ ୧୫ ମିନିଟରେ ରିପୋର୍ଟ ପାଇବେ। ଘରେ ରହି କୋଭିଡ ପରୀକ୍ଷା ପାଇଁ ଉଦ୍ଧିଷ୍ଟ ଟେଷ୍ଟ କିଟକୁ ଅନୁମତି ପ୍ରଦାନ କରିଛି ଆଇସିଏମଆର୍। ‘କୋଭିସେଲ୍ଫ’ ନାମରେ ପ୍ରସ୍ତୁତ ଏହି ର୍ୟାପିଡ୍ ଆଣ୍ଟିଜେନ ଟେଷ୍ଟ କିଟ୍ ସପ୍ତାହକ ମଧ୍ୟରେ ବଜାରରେ ଉପଲବ୍ଧ ହେବ।

ସେହିପରି ଆଗାମୀ ସପ୍ତାହକ ମଧ୍ୟରେ ଆଉ ୩ଟି କମ୍ପାନୀର ଆଣ୍ଟିଜେନ ଟେଷ୍ଟ କିଟ୍ ଆସିବ ବୋଲି ଆଇସିଏମଆର୍ ଡିଜି କହିଛନ୍ତି। ସେପଟେ କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତାଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ କରୋନା ଭୂତାଣୁ ବହନ କରୁଥିବା ଏରୋସେଲ୍ କଣିକା ବାୟୁରେ ୧୦ ମିଟର ପର୍ଯ୍ୟନ୍ତ ଯାଇପାରେ। ତେଣୁ କୋଭିଡ ଟେଷ୍ଟ ପାଇଁ ସେଣ୍ଟରେ ହେଉଥିବା ଭିଡକୁ ଲକ୍ଷ କରି ଆଇସିଏମଆର୍ ପକ୍ଷରୁ ଏହି ବ୍ୟବସ୍ଥା ହୋଇଛି।