ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମହାମାରୀର ମୁକାବିଲା କରିବା ପାଇଁ ଆଜି ପୁଲିସ ଡିଜି ଶ୍ରୀ ଅଭୟ ସଚେତନତା ବାର୍ତ୍ତା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ ପ୍ରଥମେ ପୁଲିସ ଭାଇ ଓ ଭଉଣୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏଥିସହିତ ସେ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଘରୁ ବାହାରିବା ବେଳେ ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ବଜାୟ ରଖିବା, ହାତ ଧୋଇବା ଓ ଗହଳି ନ କରିବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି।
ସେ କହିଛନ୍ତି କି ଏ ପର୍ଯ୍ୟନ୍ତ ରାଜ୍ୟରେ କରୋନା କଟକଣା ନିୟମ ଉଲ୍ଲଂଘନ ଘଟଣାରେ ୩ ଲକ୍ଷ ୧୬ ହଜାର ୬୮୨ ଜଣଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହାପରେ ମଧ୍ୟ କେତେକ ଲୋକଙ୍କୁ ଆମେ ଉପଦେଶ ଦେଇ ଛାଡ଼ିଦେଇଛୁ ବୋଲି କହିଛନ୍ତି। ଏଥିରେ ସମୁଦାୟ ୯ କୋଟି ୮୪ ଲକ୍ଷ ୩୫ ହଜାର ୮୨୩ ଟଙ୍କାର ଫାଇନ ଆଦାୟ ହୋଇଛି। ସେହିପରି ଏହି ଲକଡାଉନ ସମୟରେ ୨ ହଜାର ୧୮୦ ଦୋକାନ ସିଲ କରାଯାଇଛି, ୮୩୧ ଲୋକ ଗିରଫ ହୋଇଛନ୍ତି, ୨୬,୧୪୬ ଗାଡ଼ି ଜବତ ହୋଇଛି, ୨ ହଜାର ୫୦୩ ଏକ୍ସାଇସ କେସ୍ ରୁଜୁ ହୋଇଥିବା ସୂଚନା ଦେଇଛନ୍ତି।
ଏଥିସହିତ ସେ କହିଛନ୍ତି କି ପୁଲିସ ଷ୍ଟେସନ ନ ଯାଇ ଫୋନ ନମ୍ବର ଓ ହ୍ୱାଟସଆପ୍ ଯୋଗେ ନିଜର ଅଭିଯୋଗ ପଞ୍ଜିକୃତ କରନ୍ତୁ। ଯଦି କେଉଁଠାରେ ଅକ୍ସିଜେନ, ରାସନ କିମ୍ବା କୌଣସି ଜିନିଷର କଳାବଜାରି ହେଉଛି ତେବେ ଆପଣ ତୁରନ୍ତ ନିକଟସ୍ଥ ଥାନାକୁ ଜଣାଇବାକୁ କହିଛନ୍ତି। ଏହି ସମୟରେ ବିଶେଷକରି ସାଇବର କ୍ରାଇମ ବଢ଼ିଯାଇଛି। ଏହା ଉପରେ ସତର୍କ କରାଇଛନ୍ତି ଶ୍ରୀ ଅଭୟ। ଏହି ସାଇବର କ୍ରାଇମ ମଧ୍ୟରେ ଟିକା ରେଜିଷ୍ଟ୍ରସନ, କୋଭିଡ ମେଡ଼ିସିନ୍, ଇ-କମର୍ସ ଆଦି ରହୁଛି। ଏହି କ୍ଷେତ୍ରରେ ଯଦି ପ୍ରି-ପେମେଣ୍ଟ ମାଗୁଛନ୍ତି ସେଥିପ୍ରତି ସତର୍କ ରହିବାକୁ ଶ୍ରୀ ଅଭୟ କହିଛନ୍ତି। ସେହିପରି ସୋସିଆଲ ମିଡ଼ିଆରେ ନିଜର ବ୍ୟକ୍ତିଗତ ତଥ୍ୟ ସେୟାର ନ କରିବା ଓ ଅଜଥା ଆପ ଗୁଡ଼ିକ ଡାଉନଲୋଡ଼ କରି ସମସ୍ତ ଅନୁମତିକୁ ଆଲାଉ ନକରିବାକୁ କହିଛନ୍ତି।