ଗୁଜରାଟର ଭାବାନଗର ହସ୍ପିଟାଲରେ ଅଗ୍ନିକାଣ୍ଡ

ଅହମ୍ମଦାବାଦ,ଏଜେନ୍ସି: କରୋନା ସଂକଟ ମଧ୍ୟରେ ଦେଶର ହସ୍‌ପିଟାଲଗୁଡ଼ିକରେ ଅଗ୍ନିକାଣ୍ଡ ହେବା ଘଟଣା ଜାରି ରହୁଛି। ଗୁଜରାଟର ଭାବାନଗରସ୍ଥିତ ଜେନେରେଶନ ହସ୍ପିଟାଲରେ ନିଆଁ ଲାଗିଛି। କୁହାଯାଉଛି ଯେ, ହସ୍‌ପିଟାଲର ୩ୟ ମହଲାରେ ନିଆଁ ଲାଗିଛି। ଏଠାରେ ଆଇସିୟୁ ବେଡ ଥିବା ସହ ଏଥିରେ ୭୦ରୁ ଅଧିକ ରୋଗୀ ଚିକିତ୍ସାଧୀନ ଥିଲେ। କିନ୍ତୁ ଖୁସିର କଥା ଯେ, ନିଆଁ ବଢ଼ିବା ପୂର୍ବରୁ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି।

ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଛି। ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ହସ୍‌ପିଟାଲରେ ଯେତେବେଳେ ନିଆଁ ଲାଗିଲା ସମସ୍ତେ ଭୟଭୀତ ହୋଇଯାଇଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ରୋଗୀମାନଙ୍କୁ ବାହାର କରାଯାଇଥିଲା। ଏକାଧିକ ରୋଗୀ ଅକ୍ସିଜେନ ସପୋର୍ଟରେ ଥିଲେ। ସେମାନଙ୍କୁ ଅକ୍ସିଜେନ ସିଲିଣ୍ଡର ସହିତ ବାହାର କରାଯାଇ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ହସ୍ପିଟାଲର ତତ୍ପରତା ଯୋଗୁଁ ରୋଗୀମାନେ ଏକ ଆକସ୍ମିକ ମୃତ୍ୟୁରୁ ବଞ୍ଚିଯାଇଛନ୍ତି।