ବିହାର ପରେ ୟୁପିର ଗଙ୍ଗା  ନଦୀରେ ଭାସୁଛି ଶତାଧିକ ଶବ

ପାଟନା,ଏଜେନ୍ସି: ବିହାରର ବକ୍ସରରେ ଗଙ୍ଗାନଦୀରେ ଶତାଧିତ ଗଳିତ ଶବ ଦେଖାଯିବାର ଦିନକ ପରେ ଉତ୍ତରପ୍ରଦେଶର ଗାଜିପୁରରେ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଛି। ମିଳିଥିବା ରିପୋର୍ଟ ଅନୁଯାୟୀ, ପାଣିରେ ଗଳିତ ଶବ ଭାସିବା ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି । କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଥିବା ଲୋକଙ୍କ ଶବ ଦାହ କରାନଯାଇ ନଦୀରେ ଫିଙ୍ଗି ଦିଆଯାଉଥିବା ଆଶଙ୍କା କରାଯାଉଛି।
ଗାଜିପୁର ଜିଲ୍ଲା ମାଜିଷ୍ଟ୍ରେଟ୍ ଏମ୍ ପି ସିଂହ କହିଛନ୍ତି, ଆମେ ଏ ସମ୍ପର୍କରେ ସୂଚନା ପାଇଛୁ। ଆମର କେତେକ ଅଧିକାରୀ ଘଟଣାସ୍ଥଳରେ ପହଞ୍ôଚ ଅନୁସନ୍ଧାନ ଚଳାଇଛନ୍ତି। ଶବଗୁଡ଼ିକ କେଉଁଠାରୁ ଭାସି ଆସିଲା, ତାହାର ତଦନ୍ତ କରାଯାଉଛି। ଉଲ୍ଲେଖଯୋଗ୍ୟ, ଗତ ସୋମବାର ବିହାରର ବକ୍ସରରେ ଗଙ୍ଗାନଦୀରେ ଶତାଧିକ ଗଳିତ ଶବ ଭାସିବା ଦେଖାଯାଇଥିଲା। ବକ୍ସର ଘଟଣା ସମ୍ପର୍କରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ କହିଛନ୍ତି, ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ଏ ସମ୍ପର୍କରେ ବିହିତ ପଦକ୍ଷେପ ନେବାଲାଗି ନିର୍ଦ୍ଦେଶ ଦିଆଯାଇଛି ବୋଲି ଶେଖାୱତ୍ ଟ୍ୱିଟ୍କରି କହିଛନ୍ତି। ବକ୍ସର ସବ୍ଡିଭିଜନାଲ ଅଫିସର କେ କେ ଉପାଧ୍ୟାୟ କହିଛନ୍ତି, ଗତ ସୋମବାର ଅନେକ ଗୁଡ଼ିଏ ଶବ ଗଙ୍ଗାନଦୀରେ ଦେଖିବାକୁ ମିଳିଥିଲା। ୧୦ରୁ ୧୨ ଶବ ଦୂରରୁ ଭାସି ଆସିବା ଦେଖାଯାଇଥିଲା। ଯାହା ଜଣାପଡ଼ୁଛି ଗତ ୫ରୁ ୭ଦିନ ହେବ ଗଙ୍ଗାନଦୀରେ ଏଭଳି ଶବ ଭାସୁଛି। କିନ୍ତୁ ନଦୀରେ ଶବ ଭସାଇବାର ଆମର ପରମ୍ପରା ନୁହେଁ, ତେଣୁ ସେଗୁଡ଼ିକୁ ଦାହ କରିବା ପାଇଁ ଆମେ ବ୍ୟବସ୍ଥା କରୁଛୁ ବୋଲି ଉପାଧ୍ୟାୟ କହିଥିଲେ।