ଅମ୍ଳଜାନ ମିଳିଲାନି, ଆଖିବୁଜିଲେ ୧୧ କରୋନା ରୋଗୀ

ତିରୁପତି,ଏଜେନ୍ସି: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ସମୟରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅକ୍ସିଜେନର ବିଶେଷ ଆବଶ୍ୟକତା ପଡ଼ୁଛି। ଏଭଳି ଏକ ସମୟରେ ଆନ୍ଧ୍ରପ୍ରଦେଶରେ ଅମ୍ଳଜାନ ଯୋଗାଣ ମାତ୍ର ୫ମିନିଟ୍ ପାଇଁ ବନ୍ଦ ହୋଇଯିବାରୁ ୧୧ଜଣ କରୋନା ରୋଗୀଙ୍କ ଅକାଳ ମୃତ୍ୟୁ ଘଟିଛି। ମିଳିଥିବା ରିପୋର୍ଟ ଅନୁଯାୟୀ, ଆନ୍ଧ୍ରପ୍ରଦେଶର ତିରୁପତିସ୍ଥିତ ରୁଆ ହସ୍ପିଟାଲର ଆଇସିୟୁରେ ଅମ୍ଳଜାନ ଯୋଗାଣରେ ବାଧା ସୃଷ୍ଟି ହେବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଚିତ୍ତୋର ଜିଲ୍ଲା କଲେକ୍ଟର ଏମ୍ ହରିନାରାୟଣନ୍ କହିଛନ୍ତି, ଅମ୍ଳଜାନ ସିଲିଣ୍ଡର ପୁନଃ ଲୋଡ୍ କରିବାରେ ମାତ୍ର ୫ ମିନିଟ୍ ବନ୍ଦ ହୋଇଥିଲା। ୫ ମିନିଟ୍ ପରେ ଯୋଗାଣ ପୁନଃ ଆରମ୍ଭ ହେବା ସତ୍ତେ୍ୱ ଏହି ସ୍ୱଳ୍ପ ସମୟ ମଧ୍ୟରେ ଆଇସିୟୁରେ ଥିବା କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଏବେ ସେହି ହସ୍ପିଟାଲରେ ଅକ୍ସିଜେନ ଯୋଗାଣ ସ୍ୱାଭାବିକ ରହିଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ସୋମବାର ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୭ଜଣ କରୋନା ରୋଗୀଙ୍କର ଅମ୍ଳଜାନ ଅଭାବରୁ ମୃତ୍ୟୁ ହୋଇଥିଲା। ହାଇଦ୍ରାବାଦର କିଙ୍ଗକୋଟି ହସ୍ପିଟାଲକୁ ଅକ୍ସିଜେନ ନେଇ ଆସୁଥିବା ଏକ ଟ୍ୟାଙ୍କର ବାଟ ଭୁଲିଯିବାରୁ ପୁଲିସ ତାକୁ ଠାବ କରିଥିଲା। ମାତ୍ର ହସ୍ପିଟାଲରେ ଠିକ୍ ସମୟରେ ଟ୍ୟାଙ୍କର ପହଞ୍ôଚ ନପାରିବାରୁ ୭ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିଲା।