ପାଣାଜୀ,ଏଜେନ୍ସି: ଗୋଆରେ କରୋନା ସଂକ୍ରମଣ ତୀବ୍ର ଗତିରେ ମାଡ଼ିଚାଲିଛି। ଏହି ସଂକଟକୁ ଦୃଷ୍ଟିରେ ରଖି କରୋନା ରୋଗୀଙ୍କୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଗୋଆ ସରକାର ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ।
ରାଜ୍ୟ ସରକାର କରୋନା ଚିକିତ୍ସାକୁ ନିଜର ପ୍ରମୁଖ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ରାଜ୍ୟର ସମସ୍ତ ଲୋକ ତାଲିକାଭୁକ୍ତ ଅଛନ୍ତି। ଅତିରିକ୍ତ ସଚିବ (ସ୍ୱାସ୍ଥ୍ୟ) ବିକାନ ଗୌନକର କହିଛନ୍ତି ଯେ, ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଲୋକେ ଘରୋଇ ହସ୍ପିଟାଲରେ କରୋନାର ଚିକିତ୍ସା କରିବା ସମୟରେ ଦୀନ ଦୟାଲ ସ୍ୱାସ୍ଥ୍ୟ ସେବା ଯୋଜନା ଅନ୍ତର୍ଗତ ସମସ୍ତ ସୁବିଧା ପାଇପାରିବେ।
କରୋନା ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବା ଦିନ ଠାରୁ ପରବର୍ତ୍ତୀ ୧୦ ଦିନ ଯାଏଁ ଏହି ସୁବିଧା ମିଳିବ। ଏହି ଯୋଜନା ଆଇସିୟୁର ସୁବିଧା ଥିବା ହସ୍ପିଟାଲରେ ଲାଗୁ ହେବ, ଯାହାକି ଡିଡିଏସଏସ୍ୱାଇ ଯୋଜନାର ତାଲିକାରେ ରହିଛି। ଗୋଆ ସରକାରଙ୍କ ଅନୁସାରେ ଏହି ଯୋଜନାରେ ହସ୍ପିଟାଲରେ ଭର୍ତ୍ତି ଡାକ୍ତରଙ୍କ ପରାମର୍ଶ, ନର୍ସିଂ, ବେଡ, ଖାଇବା-ପିଇବା, ପିପିଇ କିଟ, ଏକ୍ସରେ ଆଦି ସବୁ ଶୁଳ୍କ ଯୋଜନାକୁ ପ୍ୟାକେଜରେ ସାମିଲ କରାଯିବ।