ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଓ ମମତା ମୁହାଁମୁହିଁ

କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗରେ ରାଜ୍ୟପାଳ ଜଗଦୀପ ଧନକରଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ବହୁ ଆଗରୁ ବିବାଦ ଲାଗି ରହିଛି। ବୁଧବାର ମମତାଙ୍କ ଶପଥ ଗ୍ରହଣ ସମାରୋହରେ ମଧ୍ୟ ଏଭଳି ବିବାଦ ସମସ୍ତଙ୍କ ନଜରକୁ ଆସିଥିଲା। ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ମମତାଙ୍କୁ ରାଜ୍ୟପାଳ ଶପଥପାଠ କରାଇବା ପରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ରାଜ୍ୟପାଳ ଧନକର କହିଥିଲେ, ମୁଖ୍ୟମନ୍ତ୍ରୀ ମମତା ରାଜ୍ୟରେ ଆଇନ ଶୃଙ୍ଖଳାକୁ ଶୀଘ୍ର ସୁବ୍ୟବସ୍ଥିତ କରିବେ ବୋଲି ଆଶା କରାଯାଉଛି। ଏହାର ଜବାବ ଦେଇ ମମତା କହିଥିଲେ, ଶପଥ ଗ୍ରହଣ ଉତ୍ସବ ପର୍ଯ୍ୟନ୍ତ ରାଜ୍ୟର ଆଇନ ଶୃଙ୍ଖଳା ଦାୟିତ୍ୱ ନିର୍ବାଚନ କମିଶନଙ୍କ ହାତରେ ରହିଥିଲା। ମମତାଙ୍କ ଏ ପ୍ରକାର ରୋକ୍ଠୋକ୍ ଜବାବ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଇତିମଧ୍ୟରେ ମମତା ପୁଲିସ ମହାନିର୍ଦ୍ଦେଶକ ଓ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକଙ୍କୁ ବଦଳି କରିଛନ୍ତି। ଏହାଛଡ଼ା ରାଜ୍ୟରେ ହିଂସା ରୋକିବାକୁ ସମସ୍ତ ପୁଲିସ ଅଧୀକ୍ଷକଙ୍କୁ ମମତା ନିର୍ଦ୍ଦେଶ ଦେଇଛନ୍ତି।