ଓୟୋ ରୁମରୁ ୯୯ ଲକ୍ଷ ଟଙ୍କା ଜବତ ଘଟଣା: ୨ ପୁଲିସ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରର ଓୟୋ ହୋଟେଲରୁ ୯୯ ଲକ୍ଷ ୫୦ ହଜାର ଟଙ୍କା ଜବତ ଘଟଣାରେ ଗିରଫ ୨ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ହାବିଲଦାର ଓ ଜଣେ କନେଷ୍ଟବଳ ଅଛନ୍ତି। ଅନ୍ୟ ଜଣେ ସବଇନ୍ସପେକ୍ଟର ମଧ୍ୟ ଏଥିରେ ସମ୍ପୃକ୍ତ ଥିବା ସୂଚନା ମିଳିଛି। ଜଣେ ଅତିରିକ୍ତ ଡିସିପିଙ୍କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ଜବତ ଟଙ୍କାର ତଦନ୍ତ ପାଇଁ କମିସନରେଟ ପୁଲିସ ଆୟକର ବିଭାଗକୁ ଚିଠି ଲେଖିଛି। ବ୍ୟବସାୟୀ ଜଣଙ୍କ ଏତେ ଟଙ୍କା କେଉଁ ଉପାୟରେ ଆଣିଥିଲେ, ଟଙ୍କାର ସ୍ରୋତ କଣ, ଏନେଇ ବ୍ୟବସାୟୀ ଜଣଙ୍କୁ ପଚରାଉଚରା କରୁଛି ଆୟକର ବିଭାଗ। ମଙ୍ଗଳବାର ରାତିରେ ଏୟାରପୋର୍ଟ ଥାନା ଅଞ୍ଚଳର ଏକ ଓୟୋ ହୋଟେଲରେ ଆଇପିଏଲ୍ ବେଟିଂ ନେଇ କମିସନରେଟ ପୁଲିସ ରେଡ କରିଥିଲା। ରେଡ ବେଳେ ପୁଲିସକୁ ମିଳିଥିଲା ଅଢେଇ ଲକ୍ଷ ଟଙ୍କା। ପଚରାଉଚରା ପରେ ଅଙ୍ଗାଡ଼ିଆ ସ୍କିମ୍ ବାବଦରେ ଜଣାପଡ଼ିଥିଲା। କରଞ୍ଜିଆର ବ୍ୟବସାୟୀ କମଲ ଶାହଙ୍କୁ ଅଙ୍ଗାଡ଼ିଆ ସ୍କିମରେ ଫସାଇଥିଲେ ଦୁର୍ବୃତ୍ତ। ୧ କୋଟି ଟଙ୍କା ଦେଲେ ଦେଢ଼ କୋଟି ଟଙ୍କା ଆକାଉଣ୍ଟରେ କ୍ରେଡିଟ୍ ହେବ ବୋଲି କହିଥିଲେ। ବ୍ୟବସାୟୀ କମଲ୍ ଶାହ ଅଢେଇ ଲକ୍ଷ ଟଙ୍କାର ୪୦ଟି ବଣ୍ଡଲ୍ ଧରି ଭୁବନେଶ୍ୱର ଆସିଥିଲେ।

ଅଙ୍ଗାଡ଼ିଆ ସ୍କିମର ମାଷ୍ଟରମାଇଣ୍ଡ ପ୍ରଶାନ୍ତ ପଣ୍ଡା ବ୍ୟବସାୟୀଙ୍କ ଉପରେ ରେଡ କରି ଟଙ୍କା ନେଇଯିବାକୁ ପ୍ଲାନିଂ କରିଥିଲେ। ହେଲେ ରେଡ ବେଳେ ଧରି ଦେଇଥିଲା ପୁଲିସ। ଏହି ମାମଲାରେ କମିସନରେଟ ପୁଲିସ ୮ ଜଣଙ୍କୁ ଗିରଫ କରିଛି। ଯେଉଁଥିରେ ଭୁବନେଶ୍ୱର ୟୁପିଡିର ୨ ଜଣ ଓ କଟକ ୟୁପିଡିର ଜଣେ ପୁଲିସ ଥିବା ଡିସିପି ସୂଚନା ଦେଇଛନ୍ତି।