ଉତ୍ତରାଖଣ୍ଡ ହିମସ୍ଖଳନରେ ୮ ମୃତ, ୩୮୪ ଉଦ୍ଧାର

ଡେରାଡୁନ,ଏଜେନ୍ସି: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ପୁଣି ହୋଇଛି ହିମସ୍ଖଳନ। ବରଫ ଅତଡା ଖସି ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୮୪ ଜଣଙ୍କୁ ଉଦ୍ଧାର କରାଯାଇଛି। ଭାରତୀୟ ସୁରକ୍ଷା ବାହିନୀ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ସୂଚନା ମିଳିଛି।

ଗତକାଲି କେନ୍ଦ୍ରୀୟ ସଂସ୍ଥା ବର୍ଡର ରୋଡ ଅର୍ଗାନାଇଜେସନର ଶ୍ରମିକ ମାନେ ରୋଡ କାର୍ଯ୍ୟ କରୁଥିବା ସମୟରେ ଏହି ହିମସ୍ଖଳନ ଘଟିଥିଲା। ଏହି ଅଞ୍ଚଳରେ ଗତ କିଛି ଦିନ ହେବ ପ୍ରବଳ ତୁଷାରପାତ ସହିତ ପ୍ରବଳ ବର୍ଷା ଜାରି ରହିଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି। ଏହି ଘଟଣା ପରେ ତୁରନ୍ତ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ହିମସ୍ଖଳନ ପାଇଁ ୪ରୁ ୫ ଜାଗାରୁ ଯୋଗାଯୋଗା ବିଛିନ୍ନ ହୋଇଥିବା ସେନା ପକ୍ଷରୁ କୁହାଯାଇଛି ।

ତେବେ ବର୍ଡର ଟାସ୍କ ଫୋର୍ସ ପକ୍ଷରୁ ରାସ୍ତାକୁ ସଫା କାର୍ଯ୍ୟ ଜାରି ରହିଥିବା ବେଳେ ଏହା ଆହୁରି ୭ରୁ ୮ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସଂ ଏ ନେଇ ଏକ ଟ୍ୱିଟ୍ କରି ପ୍ରଶାସନକୁ ଆଲର୍ଟ କରିଛନ୍ତି। ଅନ୍ୟ ଏକ ଟ୍ୱିଟରେ ସେ କହିଛନ୍ତି ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସହିତ କଥା ହୋଇ ରାଜ୍ୟକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ଆଶ୍ୱାସନା ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ତିରଥ ସିଂ ଆକାଶ ମାର୍ଗରୁ ଘଟଣାସ୍ଥଳ ପରିଦର୍ଶନ କରିବେ।