ନୂଆଦିଲ୍ଲୀ,ଏଜେନ୍ସି: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ.ବୋବଡେ ଶୁକ୍ରବାର ତାଙ୍କ ପଦରୁ ଅବସର ଗ୍ରହଣ କରିଛନ୍ତି। ଜଷ୍ଟିସ ବୋବଡେଙ୍କୁ ଶୁକ୍ରବାର ଭର୍ଚୁଆଲ ପ୍ଲାଟଫର୍ମରେ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଜଣେ ବିଚାରପତିଭାବେ ଦୀର୍ଘ ୨୨ ବର୍ଷ କାର୍ଯ୍ୟ କରିବା ଅବସରରେ ସେ ଅନେକ୍ ସୁଖଦ ଅନୁଭୂତି ସହ ଏହି ପଦରୁ ଅବସର ନେଉଥିବା ଜଷ୍ଟିସ ବୋବଡେ କହିଛନ୍ତି। ୬୫ ବର୍ଷ ବୟସ୍କ ଜଷ୍ଟିସ ବୋବ୍ଡେ ୧୯୭୮ରେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍ରେ ଜଣେ ଆଇନଜୀବୀଭାବେ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୦ ମାର୍ଚ୍ଚରେ ତାଙ୍କୁ ବମ୍ବେ ହାଇକୋର୍ଟର ବିଚାରପତିଭାବେ ନିଯୁକ୍ତି ମିଳିଥିଲା। ୨୦୧୨ ଅକ୍ଟୋବର ୧୬ରେ ସେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତିଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୧୩ ଏପ୍ରିଲ ୧୨ରୁ ୨୦୧୯ ନଭେମ୍ବର ୧୭ ପର୍ଯ୍ୟନ୍ତ ସେ ସୁପ୍ରିମକୋର୍ଟର ବିଚାରପତିଭାବେ କାର୍ଯ୍ୟ କରିବାପରେ ୨୦୧୯ ନଭେମ୍ବର ୧୧ରେ ଭାରତର ୪୭ତମ ପ୍ରଧାନ ବିଚାରପତିଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସୁପ୍ରିମକୋର୍ଟରେ ସେ ୫୪୭ଟି ମାମଲାର ଶୁଣାଣି କରିଥିବାବେଳେ ୬୮ଟି ମାମଲାର ରାୟ ପ୍ରସ୍ତୁତ କରିଥିଲେ। ଶନିବାର ଜଷ୍ଟିସ ଏନଭି ରମନ୍ନା ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତିଭାବେ ଶପଥ ଗ୍ରହଣ କରିବେ।