ନୂଆଦିଲ୍ଲୀ,ଏଜେନ୍ସି: ୨୦୨୧ ମସିହା ପାଇଁ ଚଳିତ ମାସ ୨୭, ୨୮ ଓ ୩୦ ତାରିଖରେ ହେବାକୁଥିବା ଜେଇଇ ମେନ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ବର୍ତ୍ତମାନର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜେଇଇର ତୃତୀୟ ତଥା ଏପ୍ରିଲ ପର୍ଯ୍ୟାୟକୁ ସ୍ଥଗିତ ରଖାଯାଇଛି। ତେବେ ଏହି ପରୀକ୍ଷା ପାଇଁ ପରବର୍ତ୍ତୀ ସମୟରେ ତାରିଖ ଘୋଷଣା କରାଯିବ। ଏନେଇ ଜେଇଇ ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ତେବେ ପରୀକ୍ଷା ହେବାର ୧୫ ଦିନ ପୂର୍ବରୁ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି। ଏହି ସମୟରେ ପରୀକ୍ଷାର୍ଥୀମାନେ ଏନଟିଏର ‘ଅଭ୍ୟାସ’ ଆପ୍ ସାହାଯ୍ୟ ନେଇ ଅଭ୍ୟାସ କରିପାରିବେ ବୋଲି କୁହାଯାଇଛି। ଏହା ପୂର୍ବରୁ ଜେଇଇ ମେନର ୨ଟି ପର୍ଯ୍ୟାୟ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୨୩ରୁ ୨୬ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୬ରୁ ୧୮ ଯାଏ ଚାଲିଥିଲା।