ପାକ୍ ସୀମାରେ ନିଶା ବେପାରୀକୁ ଗୁଳିକରି ହତ୍ୟା

ଅମୃତସର,ଏଜେନ୍ସି: ପଞ୍ଜାବ ପୁଲିସ ଓ ବିଏସଏଫ ଯବାନଙ୍କ ମିଳିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଭାରତ-ପାକିସ୍ତାନ ସୀମାରେ ଜଣେ ପାକ୍ ନିଶା ବେପାରୀ ପ୍ରାଣ ହରାଇଥିବା ଜଣାପଡିଛି। ନିର୍ଦ୍ଦିଷ୍ଟ ସୂଚନାକୁ ଆଧାର କରି ପଞ୍ଜାବ ପୁଲିସ ଓ ବିଏସଏଫ ଯବାନମାନେ ମଙ୍ଗଳବାର ରାତିରେ କାକ୍କର ସୀମାରେ ସଜାଗ ରହିଥିଲେ। ନିଶାବେପାରୀ ଜଣକ ଭାରତୀୟ ସୀମାକୁ ଅନୁପ୍ରବେଶ ଉଦ୍ୟମ କରିବାମାତ୍ରେ ଯବାନଙ୍କୁ ଦେଖି ପ୍ରଥମେ ଗୁଳି ଚଳାଇଥିଲା। ତେବେ ଯବାନଙ୍କ ପାଲଟା କାର୍ଯ୍ୟାନୁଷ୍ଠାନରେ ନିଶା ବେପାରୀର ମୃତ୍ୟୁ ଘଟିଥିଲା। ତଲାସି କରିବାପରେ ମୃତ ନିଶାବେପାରୀ ନିକଟରୁ ୨୨ କିଲୋ ଓଜନର ହେରୋଇନ, ୨ଟି ଏକେ-୪୭ ରାଇଫଲ, ୪ଟି ମ୍ୟାଗାଜିନ, ପାକିସ୍ତାନୀ ସିମ୍ ଥିବା ଗୋଟିଏ ମୋବାଇଲ ଓ ୨୦୦ ପାକିସ୍ତାନୀ ଟଙ୍କା ଜବତ କରାଯାଇଛି। ତଦନ୍ତରୁ ଜଣାପଡିଛି ଯେ ଗୁରୁଦାସପୁର ସହରର ଜଣେ କୁଖ୍ୟାତ ନିଶାବେପାରୀ ପାକିସ୍ତାନରୁ ଏହି ରାସ୍ତା ଦେଇ ମାଦକଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ଭାରତକୁ ଚୋରାରେ ଆମଦାନୀ କରିଥାଏ।