ହୋଲିରେ ବିହାରରେ ଏକାଧିକ ଅଘଟଣ, ୪୧ ମୃତ

ପାଟନା, ଏଜେନ୍ସି: ହୋଲି ଉତ୍ସବ ପାଳନ ଅବସରରେ ବିହାରର ବିଭିନ୍ନ ସ୍ଥାନରେ ହତ୍ୟା ଓ ଦୁର୍ଘଟଣା ଘଟି ୪୧ ଜଣ ପ୍ରାଣ ହରାଇଥିବାବେଳେ ୩୮ ଜଣ ଆହତ ହୋଇଛନ୍ତି। ପାଟନାରେ ଗୋଷ୍ଠୀ ସଂଘର୍ଷ ଘଟି ୫ ଜଣ ପ୍ରାଣ ହରାଇଥିବାବେଳେ ସମସ୍ତିପୁରରେ ମଦ୍ୟପାନ କରି ଗାଡି ଚଳାଉଥିବାବେଳେ ୪ ଜଣଙ୍କର ମୃତ୍ୟୁ ଘଟିଛି। ବକ୍ସର ଜିଲ୍ଳାରେ ଅଶ୍ଲୀଳ ଗୀତକୁ ପ୍ରତିବାଦ କରିବାରୁୁ ଉତକ୍ଷିପ୍ତ ଯୁବକଙ୍କ ଗୁଳିରେ ଜଣେ ମହିଳା ଆହତ ହୋଇଛନ୍ତି। ଅନୁରୂପ କାରଣରୁ ନାଳନ୍ଦା ଜିଲ୍ଲାରେ କେତେକ ଦୁର୍ବୃତ୍ତ କୁଡିଆରେ ନିଆଁ ଲଗାଇଦେବାରୁ ୪ ଜଣ ପୋଡି ହୋଇ ଆହତ ହୋଇଛନ୍ତି।ଭାଗଲପୁର ଜିଲ୍ଲାରେ ରଙ୍ଗଖେଳକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିବା ଫଳରେ ଉଭୟପକ୍ଷରୁ ଚାରିଜଣ ଆହତ ହୋଇଛନ୍ତି। ନାଳନ୍ଦା ଜିଲ୍ଲାରେ ଏକ ଦ୍ରୁତଗାମୀ ଟ୍ରକ ଚଢିଯିବାରୁ ୬ ଜଣ ପ୍ରାଣ ହରାଇଥିବାବେଳେ ୧୧ ଜଣ ଆହତ ହୋଇଛନ୍ତି।

ଏଥିରେ କ୍ଷୁବ୍ଧ ହୋଇ ସ୍ଥାନୀୟ ଲୋକେ ୮ଟି ଗାଡିରେ ନିଆଁ ଲଗାଇ ଦେଇଥିଲେ। ଗୟା ଜିଲ୍ଲାର ରାହୁଲ ନଗର ଗ୍ରାମରେ ହୋଲି କା ଦହନ ପାଳନ ସମୟରେ ୩ ଜଣ ଶିଶୁ ପୋଡି ହୋଇ ପ୍ରାଣ ହରାଇଥିବାବେଳେ ଜଣେ ଗୁରୁତର ହୋଇପଡିଥିବା ଜଣାପଡିଛି। ମଧୁବନି ଜିଲ୍ଲାରେ ଜମି ବିବାଦକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟିବାରୁ ୩ ଜଣ ପ୍ରାଣ ହରାଇଥିବାବେଳେ ଅନ୍ୟ ତିନିଜଣ ଆହତ ହୋଇଛନ୍ତି। ସୀତାମାଢି ଜିଲ୍ଲାରେ ଦୁଇଟି ବାଇକ୍ ମଧ୍ୟରେ ଧକ୍କା ଲାଗି ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ତିନିଜଣ ଆହତ ହୋଇଛନ୍ତି। କଟିହାର ଜିଲ୍ଲାରେ ମଦ୍ୟପ ବାଇକ୍ ଚାଳକଙ୍କ ଯୋଗୁଁ ଦୁର୍ଘଟଣା ଘଟି ୩ ଜଣ ପ୍ରାଣ ହରାଇଥିବାବେଳେ ଦୁଇଜଣ ଆହତ ହୋଇଛନ୍ତି। ଏହାବ୍ୟତୀତ ବୈଶାଳୀ, ଗେ।।ପାଳଗଞ୍ଜ, ବକ୍ସର ଓ ଜେହାନାବାଦ ଜିଲ୍ଲାରେ ପୃଥକ ସଡକ ଦୁର୍ଘଟଣାରେ ଦୁଇଜଣ ଲେଖାଏଁ ପ୍ରାଣ ହରାଇଥିବାବେଳେ ଲକ୍ଷ୍ମୀସରାଇ ଜିଲ୍ଲାରେ ପିକଅପ୍ ଭ୍ୟାନ ଓଲଟି ଜଣଙ୍କର ମୃତ୍ୟୁ ଘଟିଛି। କାଇମୁର ଜିଲ୍ଲାରେ ସଡକ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ବକ୍ସର ଜିଲ୍ଲାରେ ଦୁଇଜଣ ଓ ଖଗରିଆ, ରୋହତାସ୍ ଜିଲ୍ଲାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।