ଦେଶବ୍ୟାପୀ ଚକ୍କା ଜାମ୍ ଶେଷ : ୬୦ ପ୍ରଦର୍ଶନକାରୀଙ୍କୁ ଗିରଫ କଲା ପୁଲିସ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ କୃଷକଙ୍କ ଦେଶବ୍ୟାପୀ ଚକ୍କା ଜାମ୍ କାର୍ଯ୍ୟକ୍ରମ ଶେଷ ହୋଇଛି। ୟୁପୀ ଓ ଉତ୍ତରଖଣ୍ଡକୁ ଛାଡ଼ି ବାକି ରାଜ୍ୟରେ ଅପରାହ୍ନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଚକ୍କା ଜାମ୍ କରାଯାଇଥିଲା। ଇତିମଧ୍ୟରେ ଦିଲ୍ଲୀର ସହିଦ ପାର୍କକୁ ପ୍ରଦର୍ଶନ କରିବା ପାଇଁ ଆସିଥିବା ୬୦ ଜଣଙ୍କୁ ପୁଲିସ ଗିରଫ କରିଛି। ଏ ସମସ୍ତ ଲୋକ ଲେଫ୍ଟର ପତାକା ନେଇ ଆଇଟିଓରେ ପ୍ରଦର୍ଶନ କରିଥିଲେ। ପୁଲିସ ଏ ସମସ୍ତ ପ୍ରଦର୍ଶନକାରୀଙ୍କୁ ବସରେ ବସାଇ ରାଜେନ୍ଦ୍ର ନଗର ପୁଲିସ ଷ୍ଟେସନ ନେଇଯାଇଛି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ୩ଟି ପ୍ରଦର୍ଶନୀ ସ୍ଥଳୀ ସିଂଘୁ, ଟିକରୀ ଓ ଗାଜିପୁର ବୋର୍ଡରରେ ଆଜି ରାତି ୧୧.୫୯ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି।

ସୂଚନାଯୋଗ୍ୟ, ଦେଶବ୍ୟାପୀ ଚକ୍କା ଜାମ୍ ସମୟରେ କୃଷକଙ୍କ ଭିଡ଼ ସଡ଼କରେ ଦେଖିବାକୁ ମିଳିଥିଲା। ରାଜଧାନୀରେ କୌଣସି ଅପ୍ରିୟ ଘଟଣା ନଘଟିବା ପାଇଁ ଦିଲ୍ଲୀ ପୁଲିସ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିଲା।